ହାଇଦ୍ରାବାଦ: ଭାରତୀୟ ସ୍ବଦେଶୀ ଟିକା ପ୍ରସ୍ତୁତକାରୀ କମ୍ପାନୀ Biological E. Limited ଦ୍ବାରା ବିକଶିତ କୋଭିଡ ବୁଷ୍ଟର ଡୋଜକୁ ପ୍ରାପ୍ତବୟସ୍କଙ୍କ କ୍ଷେତ୍ରରେ ବ୍ୟବହାରିକ ଅନୁମତି ଦେଇଛି DCGI । ଅନୁମତି ମିଳିବା ନେଇ ଆଜି ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି । ଅନୁମତି ଅନୁସାରେ, ପୂର୍ବରୁ କୋଭିଡ ଟିକା କୋଭିସିଲ୍ଡ ଓ କୋଭାକ୍ସିନର ଦୁଇ ଡୋଜ ନେଇସାରିଥିବା ପ୍ରତ୍ୟେକ 18 ବୟସରୁ ଊର୍ଦ୍ଧ୍ବ ବ୍ୟକ୍ତି ଏହି ବୁଷ୍ଟର ଡୋଜ ଗ୍ରହଣ କରିପାରିବେ ।
ପ୍ରସ୍ତୁତକାରୀ ସଂସ୍ଥା ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, କୋର୍ବେଭ୍ୟାକ୍ସ ଏହି ଅନୁମତି ପାଇବାରେ ପ୍ରଥମ ଭାରତୀୟ ଟିକା । ସଂସ୍ଥା ଦ୍ବାରା ସମସ୍ତ ପର୍ଯ୍ୟାୟର କ୍ଲିନିକାଲ ଟ୍ରାଏଲର ରିପୋର୍ଟ DCGI ନିକଟରେ ଦାଖଲ କରାଯାଇଥିଲା । ତେବେ ଏକାଧିକ କ୍ଲିନିକାଲ ସର୍ଭେର ସଫଳତା ରିପୋର୍ଟ ଆଧାରରେ DCGI ର ବିଶେଷଜ୍ଞ କମିଟି ଏହି ବୁଷ୍ଟର ଡୋଜର ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କରିଛନ୍ତି । ପ୍ରସ୍ତୁତକାରୀ କମ୍ପାନୀ ଏହା ମଧ୍ୟ ଦାବି କରିଛି ଯେ, କୋର୍ବେଭ୍ୟାକ୍ସ ବୁଷ୍ଟର ଡୋଜ ପ୍ରଭାବୀ ଭାବେ ଶରୀରରେ କୋଭିଡ ଭୂତାଣୁ ପ୍ରତିରୋଧୀ ଶକ୍ତି ବୃଦ୍ଧି କରିବାରେ ସକ୍ଷମ ହୋଇଥିବା ନେଇ କ୍ଲିନିକାଲ ପରୀକ୍ଷଣରୁ ସ୍ପଷ୍ଟ ହୋଇଛି ।