ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ର ଏକ ଲ୍ୟାବ INMAS ଦ୍ବାରା ପ୍ରସ୍ତୁତ କୋରୋନା ଔଷଧ 2-ଡିଓକ୍ସି-ଡି-ଗ୍ଲୁକୋଜ୍ (2-ଡିଜି)କୁ କୋଭିଡ ଚିକିତ୍ସା ପାଇଁ ଜରୁରୀକାଳୀନ ଅନୁମୋଦନ ଦେଇଛନ୍ତି ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) । ଏହି ଔଷଧକୁ ସାମାନ୍ୟ ଏବଂ ମଧ୍ୟମ ଲକ୍ଷଣ ଥିବା କୋରୋନା ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ହୋଇପାରିବ ।
ଡିଆରଡିଓ ଓ ହାଇଦ୍ରାବାଦର ଡକ୍ଟର ରେଡ୍ଡୀ ଲାବୋରେଟୋରୀ (DRL) ସହଯୋଗରେ ଏହି ଔଷଧକୁ ବିକଶିତ କରାଯାଇଛି । ଏହାକୁ ନେଇ ହୋଇଥିବା କ୍ଲିନିକାଲ୍ ପରୀକ୍ଷା ଫଳାଫଳ ଦର୍ଶାଇଛି ଯେ ଏହି ଆଣ୍ଟି-କୋଭିଡ୍ ଡ୍ରଗ୍ ହସ୍ପିଟାଲରେ ଭର୍ତ୍ତି ରୋଗୀଙ୍କୁ ଶୀଘ୍ର ସୁସ୍ଥ ହେବାରେ ସାହାଯ୍ୟ କରିଥାଏ ଏବଂ ସପ୍ଲିମେଣ୍ଟାରୀ ଅମ୍ଳଜାନ ନିର୍ଭରଶୀଳତାକୁ ମଧ୍ୟ ହ୍ରାସ କରିଥାଏ । ‘2-ଡିଜି’ ଦ୍ବାରା ଚିକିତ୍ସିତ ରୋଗୀଙ୍କ ଅଧିକ ଅନୁପାତରେ ଅନ୍ୟ କୋଭିଡ ରୋଗୀମାନଙ୍କ ଠାରୁ ଆରଟିପିସିଆର ରିପୋର୍ଟରେ ନେଗେଟିଭ ଆସିଥିବା ଏକ ଅନୁଧ୍ୟାନରୁ ଜଣାପଡିଛି । ତେଣୁ ଏହାର ବ୍ୟବହାର କୋଭିଡ ରୋଗୀଙ୍କ ପାଇଁ ଲାଭ ଦାୟକ ହେବା ନେଇ ଡିଆରଡିଓ ଆଶା ପ୍ରକାଶ କରିଛି ।
ମହାମାରୀ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ ଅନୁସରଣ କରି ଡିଆରଡିଓ ‘2-ଡିଜି’ ର ଆଣ୍ଟି-କୋଭିଡ ଔଷଧ ପ୍ରସ୍ତୁତି ଆରମ୍ଭ କରିଥିଲା । ଗତ ବର୍ଷ ଏପ୍ରିଲ୍ ମହାମାରୀର ପ୍ରଥମ ଲହର ସମୟରେ,ଏଆଇଏମଏଏସ-ଡିଆରଡିଓ (INMAS-DRDO) ବୈଜ୍ଞାନିକମାନେ ହାଇଦ୍ରାବାଦର ସେଲୁଲାର୍ ଏବଂ ମଲିକୁଲାର ବାୟୋଲୋଜି (CCMB) ସହାୟତାରେ ଲାବୋରେଟୋରୀ ପରୀକ୍ଷଣ ଆରମ୍ଭ କରିଥିଲେ । ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆର (DCGI) ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) ମେ 2020 ରେ କୋଭିଡ-19 ରୋଗୀଙ୍କ ମଧ୍ୟରେ ‘2-ଡିଜି’ର ଦ୍ବିତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷାକୁ ଅନୁମତି ଦେଇଥିଲା ।