ସିମଲା:ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ମତଦାନର ଦିନ ପାଖଉଥିବାବେଳେ ଶାସନକୁ ଫେରିବାକୁ ସ୍ବପ୍ନ ଦେଖୁଥିବା ବିରୋଧୀ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି । ମତଦାନକୁ ଦିନ ଯେତିକି ପାଖଉଛି ରାଜନୀତି ସେତିକି ସରଗରମ ହୋଇଛି । ଏହାରି ଭିତରେ ଦଳଡିଆଁ ପର୍ବ ଦେଖିବାକୁ ମିଳିଛି । ରାଜ୍ୟ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସମ୍ପାଦକ ଧରମପାଲ ଠାକୁର ଖାଣ୍ଡଙ୍କ ସମେତ ବିଜେପି ଶିବିରରେ କଂଗ୍ରେସର 26 ନେତା ଓ କର୍ମୀ ସାମିଲ ହୋଇଛନ୍ତି । ଯାହା କଂଗ୍ରେସକୁ ଏକ ଝଟକା ଦେଇଛି ।
କଂଗ୍ରେସର ସମସ୍ତ ନେତା ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଓ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ସୁଧନ ସିଂହଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରେ ସିମଲାର ବିଜେପି ପ୍ରାର୍ଥୀ ସଞ୍ଜୟ ସୁଦ ମଧ୍ୟ ଉପସ୍ଥିତ ଥିଲେ । ଏହା ପୂର୍ବରୁ ଶନିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ହିମାଚଳ ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ବିଜୟୀ ହେବା ନେଇ ଆତ୍ମବିଶ୍ୱାସ ପ୍ରକାଶ କରିଥିଲେ । ଏଥର ପୁଣି ସରକାର ଗଢିବା ବୋଲି ଦୃଢୋକ୍ତି ଦେଇଥିଲେ । ରାଜ୍ୟବାସୀଙ୍କୁ ବିଜେପି 11ଟି ପ୍ରତିଶ୍ରୁତି ଦେଇଥିଲା ।
8 ଲକ୍ଷ ନିଯୁକ୍ତି, କଲେଜ ଛାତ୍ରୀଙ୍କୁ ସ୍କୁଟି, ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କ ପାଇଁ ସାଇକେଲ, 5 ନୂଆ ମେଡିକାଲ କଲେଜ, ସରକାରୀ ଚାକିରୀରେ ମହିଳାଙ୍କ ପାଇଁ 33% ସଂରକ୍ଷଣ କରିବା ସହ ଦଳ କ୍ଷମତାକୁ ଆସିଲେ ୟୁନିଫର୍ମ ସିଭିଲ କୋର୍ଡ ଲାଗୁ କରିବା ନେଇ ପ୍ରତିଶ୍ରୁତି ଦେଇଥିଲା ଭାରତୀୟ ଜନତା ପାର୍ଟି । ନଡ୍ଡାଙ୍କ ଗସ୍ତର ଦିନକ ପରେ କଂଗ୍ରେସ ଦଳକୁ ଝଟକା ଲାଗିିଛି ।