ନୂଆଦିଲ୍ଲୀ:ବାଲେଶ୍ବର ଟ୍ରେନ ଦୁର୍ଘଟଣା ପରେ ରେଳ ବିଭାଗରେ ଖାଲି ଥିବା ପଦବୀ ପୂରଣ କରିବା ଦିଗରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ରେଳବାଇ ବୋର୍ଡ ଏନେଇ ଏକ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି । ବିଭାଗରେ ଖାଲି ଥିବା ପଦୋନ୍ନତିମୂଳକ ପଦବୀ ପୂରଣ କରିବା ଦିଗରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ମଧ୍ୟର ବିଶେଷ କରି ସେଫ୍ଟିି ବିଭାଗରେ ଖାଲି ଥିବା ପଦବୀକୁ ପ୍ରାଥମିକତା ଆଧାରରେ ପୂରଣ କରାଯିବ । ବାଲେଶ୍ବର ରେଳ ଦୁର୍ଘଟଣା ପରେ ଏହି ଦିଗକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ବିଶ୍ବର 4ର୍ଥ ବୃହତ୍ତମ ରେଳ ନେଟଓ୍ବାର୍କ ଭାରତରେ ପର୍ଯ୍ୟାପ୍ତ ପରିମାଣର ମାନବ ସମ୍ବଳ ନଥିବା ମଧ୍ୟ ଅଭିଯୋଗ ହୋଇଥିଲା ।
ସୂଚନା ଅନୁସାରେ, ଏବେ ସୁଦ୍ଧା ଭାରତୀୟ ରେଳରେ ପ୍ରାୟ 3.12 ଲକ୍ଷ ଅଣ ଗେଜେଟେଡ ପଦବୀ ଖାଲି ପଡିଛି । ବର୍ଷ 2022 ରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭାରେ ଏହି ଉତ୍ତର ରଖିଥିଲେ । ସେଥିମଧ୍ୟରୁ ମୋଟ 14,815 ପଦବୀ ସିଗନାଲିଂ ଏବଂ ଟେଲି ଯୋଗାଯୋଗ ବିଭାଗରେ ରହିଛି । ସେହିପରି 62,264 ପଦବୀ ଟ୍ରାଫିକ ପରିବହନ ବିଭାଗରେ ରହିଥିଲା । ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ସର୍ବାଧିକ ସଂଖ୍ୟକ ଖାଲି ପଦବୀ ସିଭିଲ୍ ଇଞ୍ଜିନିୟରିଂ ବିଭାଗରେ ଥିଲା । ସାରା ଦେଶରେ ସିଭିଲ୍ ଇଞ୍ଜିନିୟରିଂ ମୋଟ 87,654 ଟି ପଦବୀ ରହିଥିଲା । ତା’ ପଛକୁ 64,346 ଟି ପଦବୀ ମେକାନିକାଲ୍ ବିଭାଗରେ ଏବଂ 38,096 ଟି ବୈଦ୍ୟୁତିକ ବିଭାଗରେ ଖାଲି ପଡିଥିଲା ।