ହାଇଦ୍ରାବାଦ:ପାକିସ୍ତାନରେ ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ମୃତ୍ୟୁ ଗୁଜବ ଗତକାଲି ଦିନ ତମାମ ବେଶ୍ ଚର୍ଚ୍ଚାରେ ରହିଥିଲା । ହେଲେ ଡନ ଦାଉଦ ବଞ୍ଚିଛି ଏବଂ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଏହି ମୋଷ୍ଟ ୱାଣ୍ଟେଡର ମୃତ୍ୟୁ ଖବରକୁ ତା'ର ଘନିଷ୍ଠ ସହଯୋଗୀ ଛୋଟା ସକିଲ ଦୃଢ଼ ଭାବରେ ଖଣ୍ଡନ କରି ଏକଥା କହିଛି । ସକିଲ କହିଛି ଯେ, ଡନ(ଦାଉଦ) ୧୦୦୦% ଫିଟ୍ ଏବଂ ସୁସ୍ଥ ଅଛନ୍ତି । ପଡ଼ୋଶୀ ଦେଶକୁ ଯାଇ ତାଙ୍କ ସହ ଭେଟିବା ପରେ ସେ ଏକଥା କହୁଛି ବୋଲି ଛୋଟା ସକିଲ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇଛି ।
ଦାଉଦ ଇବ୍ରାହିମର ମୃତ୍ୟୁ ଗୁଜବକୁ ଖଣ୍ଡନ କରି ଏହାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛି ସକିଲ । ମନ୍ଦ ଉଦ୍ଦେଶ୍ୟ ରଖି ସମୟ ସମୟରେ ସେମାନେ ଏଭଳି ଗୁଜବ ପ୍ରସାର କରୁଛନ୍ତି । ଭାଇ ବଞ୍ଚିଛନ୍ତି ଏବଂ ପୁରା ସୁସ୍ଥ ଓ ଫିଟ୍ ଅଛନ୍ତି । ଭାରତୀୟ ଗଣମାଧ୍ୟମରେ ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ର ବିଷକ୍ରିୟା ଖବର ପ୍ରକାଶ ପରେ ଏକ ଗଣମାଧ୍ୟମ ସହ ସାକ୍ଷାତକାରରେ ଏଭଳି ସ୍ପଷ୍ଟୀକରଣ ଦେଇଛି ଛୋଟା ସକିଲ ଏବଂ ଏହି ଖବର ଶୁଣି ସେ ଆଶ୍ଚର୍ଯ୍ୟ ହୋଇଥିଲା ବୋଲି ଜଣାଇଛି ।