ହାଇଦ୍ରାବାଦ: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ୪ ବର୍ଷୀୟ ଶିଶୁକନ୍ୟା ସହ ଦୁଷ୍କର୍ମ ମାମଲାରେ ସ୍କୁଲ ପ୍ରିନ୍ସିପାଲଙ୍କ ଡ୍ରାଇଭରକୁ ୨୦ ବର୍ଷ ଜେଲ୍ ହୋଇଛି । ଏହି ଦୁଷ୍କର୍ମକାରୀର ନାମ ରଜିନୀ କୁମାର ଏବଂ ସେ ହାଇଦ୍ରାବାଦର ବଞ୍ଜାରା ହିଲ୍ସ ସ୍ଥିତ DAV ସ୍କୁଲ ପ୍ରିନ୍ସିପାଲଙ୍କ ଡ୍ରାଇଭର ଭାବେ କାମ କରୁଥିଲା । ସ୍କୁଲ ଭିତରେ ସେ ଜଣେ ୪ ବର୍ଷୀୟ ଶିଶୁକନ୍ୟାର ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାର ଶୁଣାଣି କରି ନାମପଲ୍ଲୀ ଫାଷ୍ଟଟ୍ରାକ କୋର୍ଟ ଅଭିଯୁକ୍ତ ରଜିନୀ କୁମାରକୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ସଶ୍ରମ କାରାଦାଣ୍ଡରେ ଦଣ୍ଡିତ କରିଛନ୍ତି ।
ସୂଚନା ମୁତାବକ, ଗତବର୍ଷ ଅକ୍ଟୋବର ୧୭ ତାରିଖରେ ବଞ୍ଜାର ହିଲ୍ସ ଅଞ୍ଚଳରେ ଥିବା DAV ସ୍କୁଲରେ ଏହି ଦୁଷ୍କର୍ମ ହୋଇଥିଲା । ୪ ବର୍ଷୀୟା ଶିଶୁକନ୍ୟାର ଯୌନ ଶୋଷଣ ମାମଲାରେ ପୀଡିତାଙ୍କ ପରିବାର ପକ୍ଷରୁ ସ୍କୁଲ ପ୍ରିନ୍ସିପାଲ ମାଧବୀଙ୍କ ଡ୍ରାଇଭର ରଜିନୀ କୁମାର ବିରୋଧରେ ମାମଲା ରୁଜୁ ହୋଇଥିଲା । ନିଜ ଡ୍ରାଇଭରକୁ ସ୍କୁଲ କ୍ଲାସରୁମ ଭିତରେ ପ୍ରବେଶ ପାଇଁ ଅନୁମତି ଦେବାକୁ ନେଇ ପ୍ରିନ୍ସିପାଲଙ୍କ ବିରୋଧରେ ମଧ୍ୟ ଏତଲା ଦାୟର କରିଥିଲେ ପରିବାର ଲୋକେ । ହେଲେ କୋର୍ଟ ପ୍ରିନ୍ସିପାଲଙ୍କୁ ନିର୍ଦ୍ଦୋସରେ ଖଲାସ କରିଛନ୍ତି । ଅଭିଯୁକ୍ତ ଡ୍ରାଇଭରକୁ ୨୦ ବର୍ଷ ସଜ୍ଜା ଶୁଣାଇଛନ୍ତି ।
ଏହାମଧ୍ୟ ପଢନ୍ତୁ: ଉଦୟପୁରରେ ଚାଞ୍ଚଲ୍ୟ, ୩ ଶିଶୁଙ୍କ ସହ କୂଅକୁ ଡେଇଁଲା ମା'