ମୁମ୍ବାଇ:ନିଜ ପ୍ରେମ ପାଇଁ ଝିଅ ଭୁଲିଗଲା ବାପା-ଝିଅର ସମ୍ପର୍କ । ପ୍ରେମ ବିବାହ କରିବାକୁ ଝିଅକୁ ବାଧା ଦେବାରୁ ବାପାକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କଲା ଝିଅ । ପ୍ରେମିକ ସହ ମିଶି ରଚିଥିଲା ଷଡ଼ଯନ୍ତ୍ର । ଗୁଣ୍ଡା ଲଗାଇ ବାପାଙ୍କୁ କଲା ମରଣାତ୍ମକ ଆକ୍ରମଣ । ଏଭଳି ଏକ ଘଟଣା ଘଟିଛି ମହାରାଷ୍ଟ୍ରର ପୁନେରେ । ଯେଉଁଠାରେ ଜଣେ ଝିଅ ନିଜ ବାପାକୁ ଜୀବନରୁ ମାରିଦେବା ପାଇଁ ବାପା ପଛରେ ଗୁଣ୍ଡା ଲଗାଇ ଦେବାକୁ ପଛାଇନି ।
ପୋଲିସର ସୂଚନା ଅନୁସାରେ, ମହାରାଷ୍ଟ୍ର ସୋଲାପୁର ଜିଲ୍ଲା ମାଧାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ମହେନ୍ଦ୍ର ଶାହ ତାଙ୍କ ଝିଅ ସାକ୍ଷୀ ଶାହଙ୍କୁ ଆଣିବା ପାଇଁ କାର ନେଇ ପୁନେ ଯାଇଥିଲେ । ସେଠାରୁ ଝିଅକୁ ନେଇ ଫେରିବା ବାଟରେ ସାକ୍ଷୀ ମଝି ରାସ୍ତାରେ ଟଏଲେଟ୍ ଯିବା ପାଇଁ କହି ବାପାଙ୍କୁ ଗାଡି ଅଟକାଇବା ପାଇଁ କହିଥିଲେ । ଏହା ପରେ ମହେନ୍ଦ୍ର କାର୍କୁ ଅଟକାଇଥିଲେ । ତେବେ କାର ଅଟକିବା ପରେ ପଛରୁ ୨ଟି ବାଇକରେ ୪ଜଣ ଲୋକ ଆସି ମହେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ, ଫଳରେ ତାଙ୍କ ଗୋଡ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ମହେନ୍ଦ୍ରଙ୍କୁ ଆକ୍ରମଣ କରି ଅଭିଯୁକ୍ତମାନେ ସେଠାରୁ ଚମ୍ପଟ୍ ମାରିଥିଲେ । ତେବେ ମହେନ୍ଦ୍ରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଅଞ୍ଚଳର ଉପସରମଞ୍ଚ ବାପୁ କାଲେ ଏବଂ ରାମ ଚରଣ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ । ସେମାନେ ତୁରନ୍ତ ମହେନ୍ଦ୍ରଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଯାଇଥିଲେ । ଏହା ପରେ ଏନେଇ ସୋଲାପୁର ଜିଲ୍ଲା ମାଧା ଥାନାରେ ସୂଚନା ଦେଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...ପ୍ରେମ ବିବାହକୁ ନେଇ ଜଘନ୍ୟ କାଣ୍ଡ, ଭଉଣୀକୁ ହତ୍ୟା କଲା ଭାଇ