ମୁମ୍ବାଇ: ସୈତାନ ସାଜିଲା ସନ୍ତାନ । ମାଆକୁ ନିର୍ମମ ଭାବେ ହତ୍ୟା କରିବା ପରେ ମୃତଦେହକୁ କାଟି ୫ ଖଣ୍ଡ କରିଦେଲା ଝିଅ । ମହାରାଷ୍ଟ୍ର ମୁମ୍ବାଇର ଲାଲବାଗ ଅଞ୍ଚଳରୁ ଏଭଳି ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ମୃତ ମହିଳା ୫୫ ବର୍ଷୀୟା ବୀଣା ପ୍ରକାଶ ଜୈନ । ପ୍ରାୟ ଦୁଇ ତିନି ମାସ ତଳେ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ୨୩ ବର୍ଷୀୟା ଝିଅ ରିମ୍ପଲ ମାଆକୁ ହତ୍ୟା କରି ମୃତଦେହକୁ ମାର୍ବଲ କଟରରେ କାଟି ଘରେ ଲୁଚାଇ ରଖିଥିଲା । ପୋଲିସ ଘର ଆଲମିରା ଏବଂ ପାଣି ଟାଙ୍କିରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ।
ପୋଲିସ ଅଭିଯୁକ୍ତ ଝିଅକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ତେବେ ସେ କାହିଁକି ନିଜ ମାଆକୁ ଏପରି ନିର୍ମମ ଭାବେ ହତ୍ୟା କଲେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଝିଅ ପ୍ରଥମେ ନିଜ ମାଆକୁ ହତ୍ୟା କରିଥିଲା । ଏହାପରେ ଧାରୁଆ ଅସ୍ତ୍ରରେ ମାଆର ହାତ, ଗୋଡ କାଟି ଅଲଗା କରିଦେଇଥିଲା । ଦୁଇ ହାତକୁ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତିକରି ପାଣି ଟାଙ୍କିରେ ଲୁଚାଇ ଦେଇଥିଲା ଏବଂ ଶରୀରର ଅନ୍ୟ କିଛି ଅଂଶକୁ ଆଲମିରାରେ ରଖିଥିଲା । ଯାଞ୍ଚ ସମୟରେ ପୋଲିସ ଘର ଭିତରୁ ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ର ଜବତ କରିଛି । ଲାଲବାଗ ପେରୁ କମ୍ପାଉଣ୍ଡ ଅଞ୍ଚଳରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଏହି ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।