ହାଇଦ୍ରାବାଦ:ବିହାରରେ ଦିଲ୍ଲୀ ନିର୍ଭୟକାଣ୍ଡର ପୁନରାବୃତ୍ତି କରିବାକୁ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ଚଳନ୍ତା ବସରେ ପଶ୍ଚିମବଙ୍ଗ ଡାର୍ଜିଲିଂର ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଉଦ୍ୟମ ହୋଇଛି । ଗଣଦୁଷ୍କର୍ମରୁ ବର୍ତ୍ତିବା 35 ବର୍ଷୀୟା ମହିଳାଜଣଙ୍କ ଚଳନ୍ତା ବସରୁ ଡେଇଁ ଗୁରୁତର ହୋଇଛନ୍ତି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗତକାଲି ସଂଧ୍ୟାରେ ବିହାରର ପୁର୍ଣ୍ଣିଆ ଅଞ୍ଚଳରେ ଏପରି ଏକ ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ମହିଳାଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ଥିବା ମଧ୍ୟ ସୂଚନା ମିଳିଛି ।
ପୀଡିତାଙ୍କ ଅଭିଯୋଗ ଆଧାରରେ ପୋଲିସ କହିଛି, ‘‘ମହିଳାଜଣଙ୍କ ପଶ୍ଚିମବଙ୍ଗ ଡାର୍ଜିଲିଂର ହୋଇଥିବା ବେଳେ କୌଣସି କାମରେ ବିହାର ଆସିଥିଲେ । ବସରେ ସେ ଯାତ୍ରା କରୁଥିବା ବେଳେ ବସଟି ଯାତ୍ରୀରେ ଭରପୁର ଥିଲା । ସମୟ କ୍ରମେ ବସରୁ ଯାତ୍ରୀମାନେ ଓହ୍ଲାଇଯିବା ସହ ଗାଡି କ୍ରମଶଃ ଖାଲି ହୋଇଥିଲା । ପରେ ମାତ୍ର ଅଳ୍ପ କିଛି ଯାତ୍ରୀଙ୍କ ସହ ସେ ହିଁ ଏକମାତ୍ର ମହିଳାଯାତ୍ରୀ ଭାବେ ବସରେ ରହିଯାଇଥିଲେ । ଏହାର ସୁଯୋଗ ନେଇ ବସରେ ଥିବା 5ଜଣ ଯୁବକ ମହିଳାଙ୍କ ପାଖକୁ ଆସି ତାଙ୍କୁ ଘେରି ବସିଥିଲେ । ପରେ ଦୁର୍ବ୍ୟବହାର ମଧ୍ୟ କରିବା ଆରମ୍ଭ କରିଥିଲା । ହେଲେ ମହିଳାଜଣଙ୍କ ସାହାଯ୍ୟ ମାଗିଥିଲେ ସୁଦ୍ଧା ଉକ୍ତ ବସର ଡ୍ରାଇଭର ଓ କଣ୍ଡକ୍ଟର ଏହା ଜାଣି ମଧ୍ୟ ତାଙ୍କୁ କୌଣସି ସହଯୋଗ ନକରି ଗାଡି ଚଳାଇବା ଜାରି ରଖିଥିଲେ ।’’