ଭୋପାଳ:ଆଖିରେ ଲୁହ ଓ ଛାତିରେ କୋହକୁ ଚାପି ଧରି ପରୀକ୍ଷା ଦେବାକୁ ଗଲେ ଦ୍ବାଦଶ ଶ୍ରେଣୀର ଛାତ୍ରୀ । ମୁଣ୍ଡ ଉପରେ ପରୀକ୍ଷା ରହିଥିବା ବେଳେ ସେପଟେ ଘରେ ପଡିଥିଲା ପିତାଙ୍କ ମୃତଦେହ । ଭବିଷ୍ୟତକୁ ଆଖି ଆଗରେ ରଖି ବର୍ତ୍ତମାନକୁ ପାସୋରି ସେ ପରୀକ୍ଷା ହଲରେ ପହଞ୍ଚିଥିଲେ । ମଧ୍ୟପ୍ରଦେଶ ଦମୋହ ଜିଲ୍ଲାରେ ଏଭଳି ଦୁଃଖଦ ଘଟଣା ଘଟିଛି । ପିତାଙ୍କ ହୃଦଘାତ ଯୋଗୁଁ ମୃତ୍ୟୁ ଘଟିବା ପରେ ଛାତ୍ରୀ ଜଣକ ଦ୍ବାଦଶ ପରୀକ୍ଷା ଦେବାକୁ ଯାଇଥିବା ଦେଖିବାକୁ ମିଳିଛି ।
ବେଳେ ବେଳେ ମଣିଷ ଜୀବନରେ ଏପରି ପରିସ୍ଥିତି ଆସିଥାଏ, ସେ କଣ କରିବ ତାହା ଭାବିବା କଷ୍ଟକର ହୋଇପଡ଼ିଥାଏ । ଏଭଳି ପରିସ୍ଥିତିରେ ପଡ଼ିଛନ୍ତି ଦ୍ବାଦଶ ଶ୍ରେଣୀର ଛାତ୍ରୀ । ବନୱାର ଜିଲ୍ଲାର ଅଧିବାସୀ ଶିଶୁ ବାଲ୍ମିକୀଙ୍କ ଶନିବାର ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଥିଲା । ବ୍ୟକ୍ତିଙ୍କ ମୃତ୍ୟୁ ପରେ ଘରେ କାନ୍ଦ ବୋବାଳି ପଡ଼ିଥିଲା । ଘରେ ସମ୍ପର୍କୀୟ ଓ ଗାଁ ଲୋକେ ଭିଡ଼ ଜମାଇଥିଲେ । ହେଲେ ଶିଶୁ ବାଲ୍ଲିକୀଙ୍କ ଝିଅ ରିୟା ବାଲ୍ମିକୀ ନିଜ କୋହକୁ ଚାପି ରଖି ପରୀକ୍ଷା ଦେବା ଲାଗି କଲେଜରେ ପହଞ୍ଚିଥିଲେ । ରିୟା ଦ୍ବାଦଶ ଶ୍ରେଣୀରେ ପାଠ ପଢୁଥିବା ବେଳେ କଲେଜରେ ବୋର୍ଡ ପରୀକ୍ଷା ଜାରି ରହିଛି ।
ଏହା ବି ପଢନ୍ତୁ-Rape Case: ୬ବର୍ଷର ଶାଳିକୁ ପଡୋଶୀ ଘର ଭିଣୋଇର ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ
ହେଲେ ଏଭଳି ସମୟରେ ତାଙ୍କ ପିତାଙ୍କ ମୃତ୍ୟୁ ଘଟିଥିଲା । ଶନିବାର ରସାୟନ ବିଜ୍ଞାନର ପରୀକ୍ଷା ରହିଥିବା ବେଳେ ତାଙ୍କ ପିତା ଦୁନିଆକୁ ଅଲବିଦା କହିଥିଲେ । ଏହି ସମୟରେ ମାନସିକ ଚାପରେ ଥାଇ ମଧ୍ୟ ପରୀକ୍ଷା ଦେବାକୁ ରିୟା ବିଦ୍ୟାଳୟରେ ପହଞ୍ଚିଥିଲେ । ଏହାପରେ ବିଦ୍ୟାଳୟର ପ୍ରିନ୍ସିପାଲ ଓ ଅନ୍ୟ ଶିକ୍ଷକମାନେ ତାଙ୍କୁ ଶାନ୍ତ୍ବନା ଦେଇଥିବା ଦେଖିବାକୁ ମିଳିଥିଲା । ଏହାପରେ ପରୀକ୍ଷା ଦେବା ପରେ ରିୟା ଘରକୁ ଫେରିଥିଲେ । ଏହାପରେ ତାଙ୍କ ପିତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ସକାଳ ୯ଟାରେ ରିୟାଙ୍କ ପରୀକ୍ଷା ରହିଥିବା ବେଳେ ସକାଳ ୬ଟାରେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା ।
ରିୟା ପରୀକ୍ଷା ଦେଇ ଆସିବା ପରେ ପିତାଙ୍କ ମୃତଦେହ ନିକଟରେ ବସି ଖୁବ ଜୋରରେ କାନ୍ଦିଥିବା ବେଳେ ଏକ ଭାବବିହ୍ବଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ରିୟା ଜାଣିଥିଲା ଯେ ତା ପିତା ଆଉ କେବେ ଫେରିବେ ନାହିଁ, ହେଲେ ତା ପିତା ପାଠ ପଢି ଜୀବନରେ ସଫଳତା ହାସଲ କରିବା ଲାଗି ସବୁବେଳେ ଉତ୍ସାହିତ କରୁଥିଲେ । ଏଥିଲାଗି ପିତାଙ୍କ ମୃତ୍ୟୁ ପରେ ମଧ୍ୟ ପରୀକ୍ଷା ଦେବାକୁ ସ୍କୁଲରେ ପହଞ୍ଚିଥିଲେ ରିୟା । ତାଙ୍କର ଏହି ଧୈର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।