ଓଡିଶା

odisha

By ETV Bharat Odisha Team

Published : Sep 9, 2023, 10:23 PM IST

ETV Bharat / bharat

ସ୍କୁଲରେ ମାଠିଆରୁ ପାଣି ପିଇଲେ ଦଳିତ ଛାତ୍ର, ନିର୍ଧୁମ ପିଟିଲେ ଶିକ୍ଷକ

ସ୍କୁଲରେ ମାଠିଆରୁ ପାଣି ପିଇବାକୁ କେନ୍ଦ୍ର କରି ଛାତ୍ରଙ୍କୁ ଶିକ୍ଷକଙ୍କ ମାଡ । ଏତଲା ନ ଦେବାକୁ ଧମକ ଦେବା ସହ ଟଙ୍କା ଯାଚିଲେ ସମ୍ପୃକ୍ତ ଶିକ୍ଷକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ଭରତପୁର ଜିଲ୍ଲା ବୟାନା କସଓ୍ବା ଅନ୍ତର୍ଗତ ଭୀମ ନଗରର ଏକ ସରକାରୀ ବିଦ୍ୟାଳୟରେ ।

ପାଣି ପିଇବାରୁ ଦଳିତ ଛାତ୍ରଙ୍କୁ ଶିକ୍ଷକଙ୍କ ମାଡ
ପାଣି ପିଇବାରୁ ରାଜସ୍ଥାନରେ ଦଳିତ ଛାତ୍ରଙ୍କୁ ଶିକ୍ଷକଙ୍କ ମାଡ

ଜୟପୁର: ସ୍କୁଲରେ ମାଠିଆରୁ ପାଣି ପିଇବାରୁ ଦଳିତ ଛାତ୍ରଙ୍କୁ ଶିକ୍ଷକଙ୍କ ଅମାନୁଷିକ ମାଡ଼ । ଏତଲା ନ ଦେବାକୁ ଧମକ ଦେବା ସହ ଟଙ୍କା ଯାଚିଲେ ସମ୍ପୃକ୍ତ ଶିକ୍ଷକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ଭରତପୁର ଜିଲ୍ଲା ବୟାନା କସଓ୍ବା ଅନ୍ତର୍ଗତ ଭୀମ ନଗରର ଏକ ସରକାରୀ ବିଦ୍ୟାଳୟରେ । ଶନିବାର ଦିନ ଏନେଇ ବୟାନ ଥାନାରେ ଭରତପୁର ଆମ୍ବେଦକର କଲୋନୀରେ ରହୁଥିବା ଏହି ପୀଡିତ ଅନାଥ ଦଳିତ ବାଳକ ଅଭିଯୋଗ କରିଛନ୍ତି । ଲିଖିତ ଏତଲା ଅନୁଯାୟୀ, ପ୍ରତ୍ୟେକ ଦିନ ଭଳି ଶୁକ୍ରବାର ଦିନ ମଧ୍ୟ ଭୀମ ନଗର ସରକାରୀ ବିଦ୍ୟାଳୟରେ ପଢିବାକୁ ଯାଇଥିଲେ ଅଭିଯୋଗକାରୀ । ଶୋଷ ଲାଗିବାରୁ ବିଦ୍ୟାଳୟ ଟାଙ୍କିକୁ ପାଣି ପିଇବାକୁ ଯାଇଥିଲେ ହେଲେ ସେଠାରେ ପାଣି ଆସୁନଥିଲା । ଯେଉଁଥିପାଇଁ ଅନ୍ୟ ପିଲାଙ୍କ ସହ ମିଶି ସ୍କୁଲରେ ଥିବା ମାଠିଆରୁ ପାଣି ପିଇଥିଲେ ପୀଡିତ ଛାତ୍ର ଜଣକ । ହେଲେ ଏଥିରେ କ୍ରୋଧାନ୍ବିତ ହୋଇ ଶିକ୍ଷକ ଗଙ୍ଗାରାମ ଦଳିତ ବାଳକଙ୍କୁ ଅମାନୁଷିକ ଭାବେ ମାଡ ମାରିଥିଲେ । ହେଲେ ସେହି ମାଠିଆରୁ ପାଣି ପିଇଥିବା ଅନ୍ୟ ପିଲାମାନଙ୍କୁ କିଛି କହିନଥିଲେ ଶିକ୍ଷକ ଜଣକ ।

ଏହାପରେ ପିଲାଟି ଘରକୁ ଆସି ଏହି କଥା ଜଣାଇଥିଲା । ଅନ୍ୟପଟେ ଶନିବାର ଦିନ ମାଡ ମାରିଥିବା ଶିକ୍ଷକ ଜଣକ ପିଲାଟିର ଘରକୁ ଆସି ୨ ଲକ୍ଷ ଟଙ୍କା ଦେବା ସହ ଏତଲା ନ ଦେବା ପାଇଁ କହିଥିବା ସୂଚନା ରହିଛି । ଆଉ ଯଦି ଏତଲା ଦିଅନ୍ତି ତେବେ ପିଲାଟିକୁ ହଇରାଣ କରିବେ ବୋଲି ଧମକ ଦେଇଥିବା କଥା କହିଛି ପୀଡିତ ଛାତ୍ର । ଏହି ଘଟଣାକୁ ନେଇ ସ୍ଥାନୀୟ ରାଜନୀତି ମଧ୍ୟ ଦେଖିବାକୁ ମିଳିଥିଲା । ସମାଜ ଓ ଭୀମ ଆର୍ମୀ ପାର୍ଟିର ଲୋକମାନେ ଘଟଣା ସମ୍ପର୍କରେ ଜାଣିବା ପରେ ଭୀମ ନଗର ରାସ୍ତା ଅବରୋଧ କରି ଦଳିତ ନ୍ୟାୟ ଦେବାକୁ ଦାବି କରିଥିଲେ ।ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଅବରୋଧ ହଟିଥିଲା ।

ବୟାନା ଏସଆଇ ଜୟପ୍ରକାଶଙ୍କ ସୂଚନା ଅନୁଯାୟୀ, ଦଳିତ ବାଳକଙ୍କୁ ମାରପିଟ କରିବା ଘଟଣାକୁ ବିରୋଧ କରି ଭୀମ ଆର୍ମୀ ଓ ସମାଜ ପାର୍ଟିର ଲୋକମାନେ ରାସ୍ତା ଅବରୋଧ କରିଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଅବରୋଧ ହଟାଯାଇଥିଲା । ବାଳକଙ୍କ ଲିଖିତ ଏତଲା ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ପୋଲିସ ଅଧିକାରୀ ।

ଏହାମଧ୍ୟ ପଢନ୍ତୁ.. ଶିକ୍ଷକଙ୍କ ମାଡରେ ଦଳିତ ଛାତ୍ରର ମୃତ୍ୟୁ ! ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ସୂଚନା ଯୋଗ୍ୟ, ରାଜସ୍ଥାନରେ ଏଭଳି ଘଟଣା କିଛି ନୂଆ କଥା ନୁହେଁ । ଏହା ପୂର୍ବରୁ ମଧ୍ୟ ଜାଲୋର ଜିଲ୍ଲାର ସାୟଲା ଥାନା ଅଞ୍ଚଳରେ ସମାନ ଘଟଣା ଦେଖିବାକୁ ମିଳିଥିଲା । ଜଣେ ୯ ବର୍ଷୀୟ ଛାତ୍ର ସ୍କୁଲରେ ମାଠିଆରୁ ପାଣି ପିଇବାରୁ ତାଙ୍କୁ ଅମାନୁଷିକ ଭାବେ ମାଡ ମାରିଥିଲେ ଶିକ୍ଷକ । ଶିକ୍ଷକଙ୍କ ମାଡରେ ପିଲାଟି ଗୁରୁତର ଭାବେ ଆହତ ହୋଇଥିଲେ । ୨୫ ଦିନ ହସ୍ପିଟାଲରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରି ଶେଷ ଆଖି ବୁଜିଥିଲେ । ସେହିଭଳି ବାଡମେର ଜିଲ୍ଲାରେ ଜୁଲାଇ ୭ ତାରିଖରେ ସମାନ ଘଟଣା ଦେଖିବାକୁ ମିଳିଥିଲା । ଜଣେ ଦଶମ ଶ୍ରେଣୀ ସ୍କୁଲରେ ମାଠିଆରୁ ପାଣି ପିଇବା ଯୋଗୁ ତାଙ୍କୁ ଗୋଇଠା ବିଧା ମାରିଥିଲେ ଶିକ୍ଷକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details