ଓଡିଶା

odisha

ETV Bharat / bharat

Biparjoy Update: ଆସନ୍ତା ୬ ଘଣ୍ଟା ଭିତରେ ଅତି ଭୟଙ୍କର ବାତ୍ୟା ରୂପ ନେବ ବିପର୍ଯ୍ୟୟ - ଆରବ ସାଗରରେ ବାତ୍ୟା

ଆସନ୍ତା ୬ ଘଣ୍ଟାରୁ କମ ସମୟ ଭିତରେ ଭୟଙ୍କର ବାତ୍ୟାରେ ପରିଣତ ହେବ ବିପର୍ଯ୍ୟୟ । ଅଧିକ ପଢନ୍ତୁ

Biparjoy Update
Biparjoy Update

By

Published : Jun 11, 2023, 8:37 AM IST

ନୂଆଦିଲ୍ଲୀ: ବଳ ଗୋଟାଉଛି ବିପର୍ଯ୍ୟୟ । ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ଆହୁରି ଘନୀଭୂତ ହୋଇ ଆସନ୍ତା ୬ ଘଣ୍ଟାରୁ କମ୍ ସମୟ ଭିତରେ ଭୟଙ୍କର ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ବର୍ତ୍ତମାନର ପୂର୍ବାନୁମାନ ଅନୁସାରେ ବାତ୍ୟା ଗୁଜୁରାଟରେ ଉପକୂଳ ଛୁଇଁନପାରେ । ତେବେ ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବା ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟା ବିପର୍ଯ୍ୟୟ କ୍ରମଶଃ ଉତ୍ତର-ଉତ୍ତରପୂର୍ବ ଆଡ଼କୁ ଗତି କରିବ । ଏହାପରେ ଆସନ୍ତା ତିନି ଦିନ ମଧ୍ୟରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ବୋଲି ଅନୁମାନ କରାଯାଉଛି । ଆଜି ଭୋରରେ ବାତ୍ୟା ପୋରବନ୍ଦର ଠାରୁ ୫୧୦ କି.ମି ଦୂର ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ରହିଥିଲା । ବାତ୍ୟା ପ୍ରଭାବରେ ଆରବ ସାଗରରେ ସମୁଦ୍ର ଅଶାନ୍ତ ରହିଛି । ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ଆସନ୍ତା ୫ ଦିନ ଯାଏ ସମୁଦ୍ର ଭିତରକୁ ନଯିବାକୁ ବାରଣ କରାଯାଇଛି ।

ସମୁଦ୍ର ଉପକୂଳରେ ଜୋରରେ ପବନ ବହିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ବାତ୍ୟା ପ୍ରଭାବରେ ଆସନ୍ତା ୫ ଦିନ ଯାଏଁ ଗୁଜୁରାଟ ଉପକୂଳବର୍ତ୍ତୀ ଅଞ୍ଚଳରେ ଜୋରରେ ପବନ ବହିବ ଓ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟା ପାଇଁ କେରଳ, ମହାରାଷ୍ଟ୍ର, ଗୁଜୁରାଟ, ଗୋଆକୁ ଆଲର୍ଟ ଜାରି କରାଯାଇଛି । କେରଳର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳ ମୁମ୍ବାଇ, ରାଇଗଡ, ରତ୍ନଗିରି ଏବଂ ସୁନ୍ଧୁଦୁର୍ଗ ଜିଲ୍ଲାରେ ପ୍ରବଳ ବେଗରେ ପବନ ବହିବ ସହ ବର୍ଷା ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି ।

ଅନ୍ୟପଟେ ବାତ୍ୟା ପ୍ରଭାବରେ ପାକିସ୍ତାନରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଉତ୍ତର ପଶ୍ଚିମ ପାକିସ୍ତାନରେ ପ୍ରବଳ ବର୍ଷା ଯୋଗୁଁ ଘର ଭୁଶୁଡି ଅତି କମରେ ୨୫ ଜଣଙ୍କ ଜୀବନ ଯାଇଥିବା ଓ ୧୪୫ ଜଣ ଆହତ ହୋଇଥିବା ଖବର ମିଳିଛି । ପାଣିପାଗ ବିଭାଗ ଆକଳନ ଅନୁସାରେ, ବିପର୍ଯ୍ୟୟ ୧୫ ତାରିଖ ଅପରାହ୍ନ ସୁଦ୍ଧା ଅତି ଭୟଙ୍କର ବାତ୍ୟା ରୂପେ ପାକିସ୍ତାନ ଏବଂ ଏହା ସଂଲଗ୍ନ ସୌରାଷ୍ଟ୍ର ଓ କୁଚ୍ଚ ଉପକୂଳରେ ପହଞ୍ଚି ପାରେ ।

ABOUT THE AUTHOR

...view details