ହାଇଦ୍ରାବାଦ:ଲ୍ୟାଣ୍ଡଫଲ କରୁଛି ବାତ୍ୟା ମିଗଜୋମ୍ । ଆନ୍ଧ୍ରପ୍ରଦେଶ ଦକ୍ଷିଣ ଉପକୂଳର ନେଲ୍ଲୋର ଏବଂ ମଚ୍ଛିଲପାଟନମ ମଧ୍ୟରେ ବାପ୍ଟଲା ନିକଟରେ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ୩ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ । ତେବେ ଲ୍ୟାଣ୍ଡଫଲ ସ୍ଥଳରେ ପବନରେ ବେଗ ୯୦ରୁ ୧୧୦ କିମି ରହିଛି । ଆନ୍ଧ୍ରପ୍ରଦେଶରେ ଭୟଙ୍କର ବର୍ଷା ଓ ପବନ ହେଉଛି । ସେପଟେ ଚେନ୍ନାଇରେ ମଧ୍ୟ ଭୀଷଣ ବର୍ଷା ଲାଗି ରହିଛି । ତେବେ ଆଜି ମଧ୍ୟରାତ୍ର ବେଳକୁ ଏହି ବାତ୍ୟା ଦୁର୍ବଳ ହୋଇଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ଓଡ଼ିଶାରେ ଏହି ବାତ୍ୟାର ପ୍ରଭାବ ଦେଖିବାକୁ ମିଳୁଛି । ଦକ୍ଷିଣ ଓଡ଼ିଶା ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି ।
ବାପାଟଲା ନିକଟରେ ସ୍ଥଳଭାଗ ଅତିକ୍ରମ କରିବ:ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ସକାଳେ ସାମୁଦ୍ରିକ ଝଡ଼ ମିଗଜୋମ ନେଲ୍ଲୋରଠାରୁ ୨୦ କିମି ଉତ୍ତର-ଉତ୍ତରପଶ୍ଚିମ, ଚେନ୍ନାଇରୁ ୧୭୦ କିମି ଉତ୍ତର, ବାପଟଲାରର ୧୫୦ କିମି ଦକ୍ଷିଣ ଏବଂ ମଚ୍ଛିଲପାଟନମଠାରୁ ୨୧୦ କିମି ଦକ୍ଷିଣ-ଦକ୍ଷିଣପଶ୍ଚିମରେ କେନ୍ଦ୍ରୀଭୂତ ଥିଲା । ଏହା ଗତ ୬ ଘଣ୍ଟାରେ ଉତ୍ତର ଦିଗରେ ଘଣ୍ଟାପ୍ରତି ୭ କିମି ବେଗରେ ଗତି କରିଥିଲା । ପରବର୍ତ୍ତୀ ସମୟରେ ବାତ୍ୟା ନିଜର ଗତି ଉତ୍ତର-ପଶ୍ଚିମ ଦିଗରେ ବଜାୟ ରଖିବା ସହ ଆଜି ପୂର୍ବାହ୍ନ ସମୟରେ ବାପାଟଲା ନିକଟରେ ସ୍ଥଳଭାଗ ଅତିକ୍ରମ କରିବ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ଏବେ ଆନ୍ଧ୍ର ଉପକୂଳରେ ମିଗଜୋମର ଲ୍ୟାଣ୍ଡଫଲ ଜାରି ରହିଛି ।