ହାଇଦ୍ରାବାଦ:ଦୁର୍ବଳ ହେଉଛି ବାତ୍ୟା ମିଗଜୋମ୍ । ଏହା ଦୁର୍ବଳ ହୋଇ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳ ଅଞ୍ଚଳରେ ଗୋଟିଏ ଗଭୀର ଅବପାତ ଭାବେ କେନ୍ଦ୍ରୀଭୂତ ହୋଇଥିଲା । ଗତ ୬ ଘଣ୍ଟା ଭିତରେ ଏହି ଗଭୀର ଅବପାତ ଘଣ୍ଟାପ୍ରତି ୧୧ କିମି ବେଗରେ ଗତି କରି ଆହୁରି ଦୁର୍ବଳ ହୋଇ ଏବେ ଅବପାତରେ ପରିଣତ ହୋଇଛି । ଏହା ଉତ୍ତର ଦିଗରେ ଗତି କରିବା ସହ ଆଗାମୀ ୬ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ସେପଟେ ବଙ୍ଗୋପସାଗରରେ ଏହି ସକ୍ରିୟ ଅବପାତ ପ୍ରଭାବରେ ପୁରୀ, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ବରର କିଛି ସ୍ଥାନରେ ହାଲୁକା ବର୍ଷା ଲାଗି ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏବେ ଛତିଶଗଡ ମୁହାଁ ରହିଛି ବାତ୍ୟା ମିଗଜୋମ । ଆଉ କିଛି ଘଣ୍ଟାରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ । ଛତିଶଗଡ ମୁହାଁ ହେଲେ ବି ଓଡିଶା ଉପରେ ବିଶେଷ ପ୍ରଭାବ ପଡିବ ନାହିଁ । ତେବେ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷାର ସମ୍ଭାବନା ରହିଛି । ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ । ଆଗାମୀ ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରାୟଗଡା ମାଲକାନଗିରି ଓ କୋରାପୁଟ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଗଞ୍ଜାମ, ଗଜପତି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଏହି ୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବର୍ତ୍ତମାନ ସମୁଦ୍ର ଅଶାନ୍ତ ରହିଛି । ତେଣୁ ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।