ନୂଆଦିଲ୍ଲୀ:ଆରବ ସାଗରରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟାର ରୂପ ନେଇଛି । ଏହା ଏବେ ଗୋଆର ପଶ୍ଚିମ ଦକ୍ଷିଣ ପଶ୍ଚିମ ଦିଗରୁ ପ୍ରାୟ ୮୯୦ କିଲୋମିଟର ଦୂରରେ ରହିଛି । ବାତ୍ୟା ବର୍ତ୍ତମାନ ଉତ୍ତର ଆଡକୁ ଗତି କରିଛି । ଏହା ଉତ୍ତର ଦିଗରେ ନିଜର ଗତିପଥ ବଜାୟ ରଖିବା ସହ ଆଗାମୀ 19 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ଅତି ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ସେନେଇ କିଛି ସ୍ପଷ୍ଟ ହୋଇନି ।
ପାଣିପାଗ ବିଭାଗର ଆକଳନ ଅନୁସାରେ, ବାତ୍ୟା ସମୟରେ ପବନର ଗତି ଘଣ୍ଟା ପ୍ରତି ୧୫୦ରୁ ୧୯୦ କିଲୋମିଟର ରହିବ । ଏହା ପ୍ରଭାବରେ ୮ରୁ ୧୦ ଜୁନ ମଧ୍ୟରେ ସମୁଦ୍ରରେ ଉଚ୍ଚ ଲହରୀ ଉଠିବାର ସମ୍ଭାବନା ରହିଛି । ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ୫ ଦିନ ଯାଏଁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଗତକାଲି (ମଙ୍ଗଳବାର) ସକାଳେ କେନ୍ଦ୍ରୀୟ ପୂର୍ବ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଥିଲା । ଆଜି ଏହି ଅବପାତ ଘନୀଭୂତ ହୋଇ ବାତ୍ୟାର ରୂପ ନେଇଛି । ଯାହାକି ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାର ପରିଣତ ହେବା ନେଇ ପୂର୍ବାନୁମାନ କରାଯାଉଛି ।