ପ୍ରଶ୍ନ ୧- ବର୍ତ୍ତମାନ ଆମେରିକାରେ ସ୍ଥିତି କ’ଣ ?
ଉତ୍ତର - ଆମେରିକା ବର୍ତ୍ତମାନ ଦୁଇ ଗୋଷ୍ଠୀରେ ବିଭକ୍ତ । ଡେମୋକ୍ରାଟିକ ଓ ରିପବ୍ଲିକାନ ଭୋଟରଙ୍କ ମଧ୍ୟରେ ବ୍ୟବଧାନ ଲମ୍ବା ହେବାରେ ଲାଗିଛି । ରାଜନୈତିକ ବିଭାଜନ ସାମାଜିକ-ଅର୍ଥନୈତିକ, ସାଂସ୍କୃତିକ ଓ ବୈଚାରିକ ମତଭେଦଠାରୁ ବି ଅଧିକ ହୋଇଛି ।
ଡେମୋକ୍ରାଟମାନେ ହେଲେ ଶିକ୍ଷିତ ହ୍ୱାଇଟ କଲାର ୱାର୍କର । ସରକାର ସମାଜରେ ଥିବା ଅସମାନତା, ଅନ୍ୟାୟ ପରିବେଶ ପ୍ରସଙ୍ଗ, ଆନ୍ତର୍ଜାତିକ ସହାୟତା ବଳି ପ୍ରସଙ୍ଗରେ ସରକାରଙ୍କ ସକ୍ରିୟ ଭୂମିକା ଗ୍ରହଣ କରିବା ଉଚିତ ବୋଲି ସେମାନେ ବିଶ୍ୱାସ କରନ୍ତି । ଅନେକ ପରିଚୟ ରାଜନୀତିରେ ବି ଗୁରୁତ୍ୱାରୋପ କରନ୍ତି । ସେମାନେ ଧର୍ମନିରପେକ୍ଷତା, ବିଭିନ୍ନ ଜୀବନଶୈଳୀ ପ୍ରତି ସହିଷ୍ଣୁତା, ବନ୍ଧୁକ ନିୟନ୍ତ୍ରଣ ଆଇନକୁ ସମର୍ଥନ କରନ୍ତି । ନ୍ୟାସନାବ ପବ୍ଲିକ ରେଡିଓ ଶୁଣିବା ଉପରେ ବି ଜୋର୍ ଦିଅନ୍ତି । ଅନେକ ଡେମୋକ୍ରାଟ ଗିଭ୍ ଆଣ୍ଡ୍ ଟେକ୍ ପଲିଟିକିକ୍ସରେ ବିଶ୍ୱାସ ରଖନ୍ତି । ଆଇନର ଶାସନ,ରାଜନୈତିକ ପ୍ରକ୍ରିୟା ଓ ସମ୍ବିଧାନରେ ବି ଡେମୋକ୍ରାଟମାନେ ବିଶ୍ୱାସ ରଖନ୍ତି ।
ପାରମ୍ପରିକ ରିପବ୍ଲିକାନମାନେ ସାଧାରଣତଃ ମୁକ୍ତ ବଜାର, ଶକ୍ତିଶାଳୀ ପ୍ରତିରକ୍ଷା ଓ ରକ୍ଷଣଶୀଳ ମୂଲ୍ୟବୋଧ ଉପରେ ବିଶ୍ୱାସ କରନ୍ତି । କିଛି ରିପବ୍ଲିକାନ ବ୍ୟବସାୟର ମାଲିକ ହୋଇଥିବା ବେଳେ ଆଉ କିଛି ଅର୍ଥନୈତିକ ଦୃଷ୍ଟିରୁ ବେଶ୍ ସମ୍ଭ୍ରାନ୍ତ ଅଟନ୍ତି । ସେମାନେ ବି ଆଇନର ଶାସନ ଓ ସମ୍ବିଧାନ ଉପରେ ଆସ୍ଥା ପ୍ରକଟ କରିଥାନ୍ତି ।
ଟ୍ରମ୍ପ୍ ରିପବ୍ଲିକାନ ଭୋଟରମାନେ ସାଧାରଣତଃ ବହୁସଂଖ୍ୟାରେ ଅଶିକ୍ଷିତ ଓ ବ୍ଲୁ କଲାର ୱାର୍କର । ସେମାନଙ୍କ ମଧ୍ୟରୁ ଅନେକ ଚାକିରୀ ହରାଇସାରିଛନ୍ତି ବା ଭବିଷ୍ୟତରେ ଚାକିରୀ ହରାଇବାର ଭୟ ରଖନ୍ତି । ଅଧିକାଂଶ ସୀମିତ ପ୍ରଶାସନ ସପକ୍ଷବାଦୀ ବା ପ୍ରଶାସନ ବିରୋଧୀ ହୋଇଥାନ୍ତି । ଅବଶ୍ୟ ସେମାନେ ସରକାରଙ୍କ ସୁରକ୍ଷା କାର୍ଯ୍ୟକ୍ରମ ଦ୍ୱାରା ଉପକୃତ ହୋଇଥାନ୍ତି । ଅଧିକାଂଶ ଟ୍ରମ୍ପ ରିପବ୍ଲିକାନ ଖ୍ରୀଷ୍ଟିଆନ । ସେମାନଙ୍କ ପାଖରେ ଗନ୍ ବି ରହିଛି । ସେମାନେ ଦକ୍ଷିଣପନ୍ଥୀ ଚିନ୍ତାଧାରା ପ୍ରଚାର କରୁଥିବା ରେଡିଓ ଶୁଣନ୍ତି । ଡୋନାଲଡ୍ ଟ୍ରମ୍ପ ଯାହା କହିବେ, ସେମାନେ ତାହା ଶୁଣିବେ ଓ କରିବେ । ସେମାନେ ଆଇନର ଶାସନ ମାନନ୍ତି ନାହିଁ । ନିୟମ, ଆଇନ ଓ ସମ୍ବିଧାନକୁ ମାନିବା ରାଜନୀତିର ମୂଳମନ୍ତ୍ର ବୋଲି ସେମାନେ ବୁଝନ୍ତି ନାହିଁ । ସେମାନେ ସାଲିସ କରିବା ଅପେକ୍ଷା ନିଜର ସ୍ୱାର୍ଥ ହାସଲ ପାଇଁ ହିଁ ସର୍ବଦା ଚେଷ୍ଟିତ ଥାଆନ୍ତି । ଏହି ଧରଣର ଭୋଟରମାନଙ୍କୁ ସହଜରେ ଭୁଆଁ ବୁଲାଯାଇପାରେ ।
ଡେମୋକ୍ରାଟ ଓ ରିପବ୍ଲିକାନ ଭିନ୍ନ ଭିନ୍ନ ବବଲରେ ରହନ୍ତି । ସେମାନେ ଅଲଗା ଅଲଗା ଜାଗାରେ ବାସ କରନ୍ତି । ଅଲଗା ସ୍କୁଲକୁ ଯାଆନ୍ତି । ଅଲଗା ଅଲଗା ଉପାସନା ପୀଠକୁ ବି ଯାଆନ୍ତି । ନ୍ୟୁଜ ଓ ମନୋରଂଜନ ପାଇଁ ବି ସେମାନେ ଅଲଗା ଅଲଗା ଜାଗାକୁ ଯାଆନ୍ତି ।
ପ୍ରଶ୍ନ ୨- ବର୍ତମାନ ଆମେରିକାରେ ଅଚଳାବସ୍ଥା ପାଇଁ ଦାୟୀ କିଏ ? ରାଜନୈତିକ ଦଳଗୁଡିକୁ ସମାନ ଭାବେ ଏଥିପାଇଁ ଦାୟୀ ନା ଏହା ଟ୍ରମ୍ପ ପ୍ରଶାସନର ପରିଣାମ ?
ଉତ୍ତର- ଦୀର୍ଘ ଦିନ ଧରି ଏହି ବିଭାଜନର ନିଆଁ କୁହୁଳୁଥିଲା । ନିଉଟ୍ ଗିନଗ୍ରୀଚ୍ ଓ ଅନ୍ୟ ରିପବ୍ଲିକାନ ରାଜନେତାମାନେ ନିଆଁରେ ଘିଅ ଢାଳିବା ଭଳି କାମ କଲେ । ରାଜନୈତିକ ପ୍ରକ୍ରିୟା ଓ ଶାଳୀନତାକୁ ସେମାନେ ଉପେକ୍ଷା କଲେ । ନିର୍ବାଚନ ପ୍ରଚାରରେ ଟ୍ରମ୍ପଙ୍କ ‘ବିଭାଜନ ଓ ଅଧିକାର କର’ ଆଭିମୁଖ୍ୟ ପରିସ୍ଥିତିକୁ ଆହୁରି ସଂଗୀନ କରିଥିଲା । ପରିଣାମ ସ୍ୱରୂପ କ୍ୟାପିଟଲ ଉପରେ ଆକ୍ରମଣ ହେଲା ।
ଡେମୋକ୍ରାଟିକ ରାଜନେତାମାନେ ଦୀର୍ଘ ସମୟ ଧରି କଂଗ୍ରେସରେ ଆଧିପତ୍ୟ ବଜାୟ ରଖିଛନ୍ତି । ସେମାନଙ୍କ ପରିଚୟ ରାଜନୀତି ଓ ରିପବ୍ଲିକାନମାନଙ୍କୁ ବୁଝିବାରେ ଅବହେଳା ବିଭାଜନର କାରଣ ହୋଇଛି ।
ପ୍ରଶ୍ନ -୩ ଆମେରିକାର ରକ୍ଷଣଶୀଳ ଗୋଷ୍ଠୀ ଉଦାରବାଦୀ ଦକ୍ଷିଣପନ୍ଥୀଙ୍କୁ ବ୍ୟବହାର କରି ଗଣତାନ୍ତ୍ରିକ ଶାସନକୁ ଜଳାଂଜଳି ଦେଇଛନ୍ତି କି ? ଏ କ୍ଷେତ୍ରରେ ରିପବ୍ଲିକାନ ପାର୍ଟିର ଅବଦାନ କ’ଣ?
ଉତ୍ତର- ହଁ । ସେମାନେ ମୁକ୍ତ ଅଭିବ୍ୟକ୍ତି, ସାମ୍ବିଧାନିକ ଅଧିକାର ଓ ପୁଞ୍ଜିବାଦରେ ବିଶ୍ୱାସ ରଖୁଥିବା କଥା କହନ୍ତି । କିନ୍ତୁ ସେମାନଙ୍କ ଲକ୍ଷ୍ୟ ପୂରଣ ହେବାକୁ ଥିବା ବେଳେ ହିଁ ସେମାନେ ଏହି କଥା କହିଥାନ୍ତି । ସେମାନଙ୍କ ବିଚାରଧାରାରେ ସମ୍ମତ ହେଉ ନ ଥିବା ଲୋକଙ୍କ ଅଧିକାର ଓ ସ୍ୱାଧୀନତାକୁ ସେମାନେ ସମର୍ଥନ କରନ୍ତି ନାହିଁ । ଉଭୟ ଡେମୋକ୍ରାଟିକ ଓ ରିପବ୍ଲିକାନ ପାର୍ଟି ଅସହିଷ୍ଣୁତା, ହିଂସାବାଦୀ ହ୍ୱାଇଟ ସୁପ୍ରିମାସିଷ୍ଟ ଗ୍ରୁପ୍ଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ଆଉ ଏଥିପାଇଁ ହିଁ ବର୍ତ୍ତମାନର ଅବସ୍ଥା ସୃଷ୍ଟି ହୋଇଛି । ରିପବ୍ଲିକାନ ପାର୍ଟି ଏସବୁ ଗୋଷ୍ଠୀର ଲୋକଙ୍କ ଭୋଟ୍ ପାଇବାକୁ ଉଦ୍ୟମ କରିବାରୁ ସମସ୍ୟା ସୃଷ୍ଟି ହୋଇଛି ।
ପ୍ରଶ୍ନ ୪- ନିର୍ବାଚନ ହାରିଲା ପରେ ମଧ୍ୟ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତି ଅନେକ ଆମେରିକୀୟଙ୍କ ସମର୍ଥନ ରହିଥିବା ମନେହେଉଛି । ଏହାକୁ ଜଣେ କିଭଳି ଭାବେ ଦେଖିବ ?
ଉତ୍ତର- ଟ୍ରମ୍ପଙ୍କ ହାର୍ଡକୋର୍ ସମର୍ଥକମାନେ ଟ୍ରମ୍ପ ଓ କିଛି ରିପବ୍ଲିକାନ ନେତାଙ୍କ ମିଥ୍ୟାକୁ ଅନ୍ଧ ଭାବେ ବିଶ୍ୱାସ କରିନେଇଛନ୍ତି । ନିର୍ବାଚନରେ ତାଙ୍କୁ ହରାଇବା ପାଇଁ ଷଡଯନ୍ତ୍ର ହୋଇଛି ବୋଲି ଟ୍ରମ୍ପଙ୍କ କଥାକୁ ସେମାନେ ସହଜରେ ଗ୍ରହଣ କରିନେଇଛନ୍ତି ।
ପ୍ରଶ୍ନ ୫-ସ୍ୱାଭାବିକ ରାଜନୈତିକ ସ୍ଥିତି ଫେରାଇ ଆଣିବା ପାଇଁ ରାଜନୈତିକ ଦଳଗୁଡିକର ଭୂମିକା ଏବେ କିଭଳି ରହିବ ?