କ୍ରୋନି ପୁଞ୍ଜିବାଦ ହେଉଛି ପୁଞ୍ଜିବାଦର ଏକ କୁତ୍ସିତ ରୂପ ଯେଉଁଠି ବ୍ୟବସାୟର ସଫଳତା ସରକାରୀ କଳର ପକ୍ଷପାତିତା ଓ ଅନୁଗ୍ରହ ଉପରେ ନିର୍ଭର କରିଥାଏ। କ୍ଷମତାରେ ଥିବା ଶାସନ କାଳ ସରକାରୀ ଅନୁଦାନ, ଟିକସ ଛାଡ଼, ଅନୁଚିତ୍ ଭାବେ ପରମିଟ୍ ପ୍ରଦାନ, ପୂର୍ବନିର୍ଧାରିତ ଟେଣ୍ଡର ଏବଂ କମ୍ପାନିକୁ ସୁହାଇଲା ଭଳି ଅନେକ କିଛି ପ୍ରୋତ୍ସାହନ ଦେଇ ବ୍ୟବସାୟିକ ସଂସ୍ଥାକୁ ଅନୁଗ୍ରହ ଦେଖାଇଥାନ୍ତି । ଏଥରେ କିଛି କ୍ରୋନି ବ୍ୟବସାୟୀ ସରକାରୀ ନୀତି ନିର୍ଦ୍ଧାରଣରେ ପ୍ରଭାବ ପକାଇବା ପାଇଁ କ୍ଷମତା ଦଖଲ କରିଥାନ୍ତି । ଜନସ୍ବାର୍ଥ କିମ୍ବା ଦେଶର ସ୍ବାର୍ଥକୁ ବଳି ଦେଇ ସେମାନେ ବ୍ୟକ୍ତିଗତ ସମ୍ପତ୍ତି ଠୁଳ କରିବା ଲକ୍ଷ୍ୟରେ ଏପରି କରିଥାନ୍ତି ।
ଏବେ ଏକ ରାଜନୈତିକ ଗୋଷ୍ଠୀ ଏବଂ ବ୍ୟବସାୟ ଗୋଷ୍ଠୀ ମଧ୍ୟରେ ଅନୈତିକ ସମ୍ପର୍କ ବ୍ୟବସାୟ ସଫଳତା ନିର୍ଦ୍ଧାରଣ କରୁଛି । ଏକ ବ୍ୟବସାୟିକ ସଂସ୍ଥା ଉଚ୍ଚମାନର ସାମଗ୍ରୀ ଓ ସେବା ପ୍ରଦାନ ପାଇଁ ନିଜର ଦକ୍ଷତା ଓ ଉତ୍ପାଦିକତା ବଢାଇ ବ୍ୟବସାୟିକ ସଫଳତା ପରିବର୍ତ୍ତେ ସରକାରୀ କଳର ଫାଇଦା ଉଠାଇବାରେ ବ୍ୟସ୍ତ । କ୍ରୋନି ପୁଞ୍ଜିବାଦ ଦ୍ବାରା କମ୍ପାନି ଗୁଡିକ ଦେବାକୁ ଥିବା ଟିକସ ପରିମାଣ କମିବା ଏବଂ ବ୍ୟାଙ୍କଗୁଡ଼ିକରେ ସନ୍ଦେହଜନକ ଋଣ ପରିମାଣ ବୃଦ୍ଧି ଯୋଗୁଁ ଆର୍ଥକ ବୋଝ ପଡିଥାଏ ଏବଂ ସରକାରଙ୍କ ରାଜସ୍ହ ଆଦାୟରେ କ୍ଷତି କାରଣରୁ ଶିକ୍ଷା ଓ ସ୍ବାସ୍ଥ୍ୟ ପରି ମାନବ ବିକାଶ ଦିଗରେ ପୁଞ୍ଜିନିବେଶ ମଧ୍ୟ କମିଯାଏ ଯାହାଫଳରେ ସରକାରଙ୍କୁ ସାମାଜିକ ମୂଲ୍ୟ ଦେବାକୁ ପଡିଥାଏ । ସଂକ୍ଷେପରେ କହିବାକୁ ଗଲେ,ସମାଜର ସବୁ ସ୍ତରରେ ଅସମାନତା ବଢିଥାଏ, ଯେଉଁଠାରେ ମାନବ ଏବଂ ଅର୍ଥନୈତିକ ବିକାଶ ହୁଏ ନାହିଁ ।
2026ରେ ଦ ଇକନମିଷ୍ଟ ଦ୍ବାରା ହୋଇଥିବା ଏକ ଅନୁଧ୍ୟାନରୁ ଜଣାଯାଏ ଯେ, କ୍ରୋନି ପୁଞ୍ଜିବାଦ ସୂଚକାଙ୍କ ଅନୁଯାୟୀ 22ଟି ରାଷ୍ଟ୍ରକୁ ନେଇ ପ୍ରସ୍ତୁତ କ୍ରୋନି ପୁଞ୍ଜିବାଦ ତାଲିକାରେ ଭାରତର ସ୍ଥାନ ଥିଲା ନବମ । ଜିଡିପିର 3.4 ପ୍ରତିଶତ କ୍ରୋନି ପୁଞ୍ଜିବାଦ କ୍ଷେତ୍ରକୁ ଚାଲିଯାଏ । 2014ରେ ମଧ୍ୟ ଭାରତ ନବମ ସ୍ଥାନରେ ଥିଲା । ଏହା ସୂଚେଇ ଦେଉଛି ଯେ, କ୍ରୋନି ପୁଞ୍ଜିବାଦ ଦ୍ବାରା ଏକ ଅର୍ଥନୀତିରେ ଲୋକଙ୍କ ଜୀବନଧାରଣ ମାନ ଉପରେ କିପରି ପ୍ରତିକୂଳ ପ୍ରଭାବ ପଡିଥାଏ । ଭାରତରେ ଅନେକ ଅର୍ଥନୈତିକ ସଂସ୍କାର ପ୍ରକ୍ରିୟା ଆରମ୍ଭ ହେବାପରେ 1991 ପରଠାରୁ ଘରୋଇ ଉଦ୍ୟୋଗ ଅନେକ କ୍ଷେତ୍ରରେ ପ୍ରବେଶ କରିଲେ ଯେଉଁସବୁ କ୍ଷେତ୍ର ପୂର୍ବରୁ କେବଳ ସରକାରୀ ସଂସ୍ଥାଗୁଡ଼ିକର ଅଧିନରେ ରହି ଆସିଥିଲା ।
ଏସବୁ ମଧ୍ୟରେ ପେଟ୍ରୋଲିୟମ୍, କୋଇଲା ଏବଂ ଲୁହାପଥର ଆଦି ପ୍ରାକୃତିକ ସମ୍ପଦ ଭିତ୍ତିକ ଶିଳ୍ପସଂସ୍ଥା ଅନ୍ତର୍ଭୁକ୍ତ । ସରକାରୀ ନୀତି, ଘରୋଇ ଉଦ୍ୟୋଗ ଏବଂ ସରକାରୀ ଉଦ୍ୟୋଗରେ ପରିଚାଳିତ ପିଏସଇଗୁଡ଼ିକ ପାଇଁ କଟକଣା ସହିତ ଏକ ସମନ୍ବୟ ରକ୍ଷା ପାଇଁ ସରକାର ଅନେକ ସ୍ବତନ୍ତ୍ର ନିୟାମକ ସଂସ୍ଥା ସ୍ଥାପନ କରିଛନ୍ତି । ଏଗୁଡ଼ିକ ମଧ୍ୟରେ ସେବି (ସିକ୍ୟୁରିଟିଜ ଏଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ), ଆଇଆରଡିଏ (ଇନସୁରାନ୍ସ ରେଗୁଲେଟୋରି ଏଣ୍ଡ ଡଭଲପମେଣ୍ଟ ଅଥରିଟି) ଏବଂ ଟ୍ରାଏ (ଟେଲିକମ୍ ରେଗୁଲେଟୋରୀ ଏଣ୍ଡ ଡେଭଲପମେଣ୍ଟ ଅଥରିଟି) ପ୍ରମୁଖ । ହର୍ଷଦ ମେହେଟ୍ଟା ଷ୍ଟକ୍ ମାର୍କେଟ ସ୍କାମ୍ (1992) ଏବଂ ହାୱାଲା ଦୁର୍ନୀତି (1996)କୁ ଛାଡିଦେଲେ ଭାରତୀୟ ଅର୍ଥନୀତି 1990 ଦଶକରେ ବେଶ ଭଲ ଭାବେ ଉଦାର ବଜାର ଭିତ୍ତିକ ପୁଞ୍ଜିବାଦରେ ପରିବର୍ତ୍ତନ ହୋଇଥିଲା । ଅନେକ ଭାରତୀୟ କମ୍ପାନି ଘରୋଇ ଏବଂ ବିଶ୍ବ ବଜାରରେ ପ୍ରତିଦ୍ବନ୍ଦ୍ବୀ ଭାବେ ହୋଇଛନ୍ତି ।
ଘୋଟାଲାରେ ଭରପୁର ଭାରତ
ହେଲେ ଏକବିଂଶ ଶତାବ୍ଦୀ ଆରମ୍ଭରୁ ଭାରତରେ ଏକାଧିକ ଘୋଟାଲା ପଦାକୁ ଆସିବା ଆରମ୍ଭ ହୋଇଥିଲା ଏବଂ ପ୍ରାୟ ସବୁ ଦୁର୍ନୀତିରେ କିଛି କେନ୍ଦ୍ର ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ସମେତ ସରକାରୀ ଅଧିକାରୀ ଏବଂ କ୍ରୋନି ପୁଞ୍ଜିପତିଙ୍କ ମଧ୍ୟରେ ଅସାଧୁ ସମ୍ପର୍କ ମୂଳ କାରଣ ଥିଲା । ଦେଶରେ ଅର୍ଥନୈତିକ ବ୍ୟବସ୍ଥାର ପରିଚାଳନାରେ ଅଧୋଗତି ଏସବୁ ଦୁର୍ନୀତି ଘଟଣାରୁ ପ୍ରମାଣିତ ହୋଇଥିଲା । 2ଜି ସ୍ପେକ୍ଟ୍ରମ ଆଲୋକେସନ ସ୍କାମ (2008), ସତ୍ୟମ୍ ସ୍କାମ୍ (2009), ରାଜ୍ୟଗୋଷ୍ଠୀ କ୍ରୀଡା ସ୍କାମ୍ (2010), କୋଇଲା ଆବଣ୍ଟନ ସ୍କାମ (2012), ବେଲାରୀ ଖଣି ଦୁର୍ନୀତି (2006-10), ରିଲାଏନସ ସମ୍ପୃକ୍ତି ଥିବା ଆନ୍ଧ୍ର ପ୍ରଦେଶର କ୍ରିଷ୍ଣା-ଗୋଦାବରୀ ବେସିନ୍ ଦୁର୍ନୀତି (କ୍ୟାଗ୍ ରିପୋର୍ଟ 2011), ବିଜୟ ମାଲ୍ୟା ବ୍ୟାଙ୍କ ଜାଲିଆତି ଏବଂ ମନି ଲଣ୍ଡରିଙ୍ଗ ମାମଲା (2016) ଏବଂ ନିରବ ମୋଦି-ପିଏନବି ଜାଲିଆତି ମାମଲା (2018) ଭଳି ବହୁଚର୍ଚ୍ଚିତ ଦୁର୍ନୀତି ଘଟଣାରେ ଭାରତର ପ୍ରତିଷ୍ଠାରେ ଆଞ୍ଚ ଆସିବା ସବ ସରକାରୀ ରାଜସ୍ବରେ ବିପୁଳ କ୍ଷତି ଘଟିଛି ।
ସମୟକ୍ରମେ ଭାରତରେ ସମ୍ପତ୍ତି ଆବଣ୍ଟନ କ୍ଷେତ୍ରରେ ଅସମାନତା ବଢି ବଢି ଚାଲିଛି । 2020ରେ ପ୍ରକାଶିତ ଓକ୍ସଫାମ୍ ରିପୋର୍ଟ ଅନୁଯାୟୀ 63 ଜଣ ଭାରତୀୟ କୋଟିପତିଙ୍କ ମୋଟ ସମ୍ପତ୍ତି ପରିମାଣ ଭାରତର 2018-19 ଆର୍ଥିକ ବର୍ଷର ମୋଟ କେନ୍ଦ୍ର ବଜେଟ୍ ପରିମାଣଠାରୁ ଅଧିକ ଥିଲା । ଭାରତରେ କୋଟିପତି ବ୍ୟବସାୟୀଙ୍କ ମୋଟ ସମ୍ପତ୍ତି ଏବଂ ଜିଡିପି ଅନୁପାତ ବିଶ୍ବରେ ସର୍ବାଧିକ ବୋଲି ଆକଳନ କରାଯାଇଥିଲା । ସେମାନଙ୍କ ମୂଳ ସମ୍ପତ୍ତିର 60 ପ୍ରତିଶତ ରିଆଲ ଇଷ୍ଟେଟ୍, ନିର୍ମାଣ, ଭିତ୍ତିଭୂମି ଏବଂ ପୋର୍ଟସ, ମିଡିଆ, ସିମେଣ୍ଟ ଏବଂ ମାଇନିଂ ଆଦି “ରେଣ୍ଟ-ଥିଙ୍କ୍” ସେକ୍ଟରରୁ ଆସିଛି । ଅକ୍ସଫାମ ରିପୋର୍ଟରେ ଆହୁରି ବି ଦର୍ଶାଯାଇଥିଲା ଯେ, ଭାରତର ଶ୍ରେଷ୍ଠ ଏକ ପ୍ରତିଶତ ଧନୀ ମୋଟ ଜାତୀୟ ସମ୍ପତ୍ତିର 42.5 ପ୍ରତିଶତର ଅଧିକାରୀ ହୋଇ ରହିଚନ୍ତି । ଅନ୍ୟପକ୍ଷରେ ତଳେ ରହିଥିବା 50 ପ୍ରତିଶତ ଲୋକଙ୍କ ପାଖରେ ମୋଟ ଜାତୀୟ ସମ୍ପତ୍ତିର ମାତ୍ର 2.8 ପ୍ରତିଶତ ରହିଛି ।
ସମସ୍ୟାର ସମାଧାନ ପ୍ରୟାସ
ସରକାର-ବ୍ୟବସାୟୀଙ୍କ ମଧ୍ୟରେ ଅସାଧୁ ସମ୍ପର୍କ ଯୋଗୁଁ ହେଉଥିବା ଭ୍ରଷ୍ଟାଚାର 2014 ଲୋକସଭା ନିର୍ବାଚନ ବେଳେ ଏକ ନିର୍ବାଚନୀ ପ୍ରସଙ୍ଗ ହୋଇଥିଲା ଏବଂ ୟୁପିଏ-2 ସରକାରର ପରାଜୟ ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍ ହାସଲ ପାଇଁ ଆହ୍ବାନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସ୍କାରମୁଳକ ଆଭିମୁଖ୍ୟକୁ ଶିଳ୍ପ ମହଲରେ ସମସ୍ତେ ସ୍ବାଗତ କରିଥିଲେ । ହେଲେ ଭଲ ପ୍ରଦର୍ଶନ କରୁଥିବା ଏବଂ ଏପରି କି ଲାଭରେ ଚାଲୁଥିବା ଏଲଆଇସିରୁ ପୁଞ୍ଜି ପ୍ରତ୍ୟାହାର କରି ଏହାର ଘରୋଇକରଣ ଉଦ୍ୟମକୁ ବିଭିନ୍ନ ମହଲରେ କଟୁ ସମାଲୋଚନା କରାଯାଇଥିଲା । ଏହା କରିବା ଦ୍ବାରା କିଛି ଘରୋଇ ବ୍ୟବସାୟିକ ସଂସ୍ଥା ଲାଭବାନ ହେବେ ବୋଲି କୁହାଗଲା ।