ଚଣ୍ଡିଗଡ଼:ନୃଶଂସତାର ସୀମା ଟପିଲା ସଇତାନ ସ୍ବାମୀ । ପତ୍ନୀ ଘରକୁ ନଫେରିବାରୁ ଶ୍ବଶୁର ଘରର ସମସ୍ତ ପରିବାରକୁ ଜୀବନ୍ତ ଜାଳିଦେଲା ଜ୍ବାଇଁ । ପଞ୍ଜାବର ଜଳନ୍ଧର ଜିଲ୍ଲା ମେହେଟପୁର ଅଞ୍ଚଳରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏଥିରେ ପତ୍ନୀ ସମେତ ପରିବାରର 6 ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ଅଭିଯୁକ୍ତ ସ୍ବାମୀ ଫେରାର ଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।
ସୂଚନା ଅନୁଯାୟୀ, ମେହେଟପୁର ଅଞ୍ଚଳ ବାସିନ୍ଦା ପରମଜିତ କୌର ନାମ ଜଣେ 28 ବର୍ଷୀୟ ମହିଳା ଅତ୍ୟନ୍ତ ଗରିବ ଅଟନ୍ତି । ତାଙ୍କ ପିତା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ପରମଜିତ କୌରଙ୍କ ଦୁଇଟି ସନ୍ତାନ ରହିଛି । ପ୍ରଥମ ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କ ପିତା ନିକଟସ୍ଥ ଖୁରସାଇଡପୁର ଗ୍ରାମର କାହଲନ ନାମକ ବ୍ୟକ୍ତି ସହ ବିବାହ କରାଇଥିଲେ । ପରମଜିତ ନିଜ ଦୁଇ ସନ୍ତାନକୁ ନେଇ ସ୍ବାମୀ ପାଖରେ ରହିଥିଲେ । କିଛି ଦିନପରେ ସ୍ବାମୀ ଲଗାତାର ପିଲାଙ୍କୁ ମାରପିଟ କରୁଥିଲେ ଏବଂ ସେମାନଙ୍କୁ ଛାଡ଼ିଦେବା ପାଇଁ ପତ୍ନୀଙ୍କୁ ବାଧ୍ୟ କରୁଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟ ଧରି ଯୁକ୍ତିତର୍କ ହୋଇଥିଲା । ଏହାପରେ ପିଲାଙ୍କୁ ନେଇ ପରମଜିତ ବାପାଙ୍କ ଘରକୁ ଚାଲିଯାଇଥିଲେ । ସ୍ବାମୀ ତାଙ୍କୁ ଘରକୁ ଫେରିବା ପାଇଁ ବାଧ୍ୟ କରୁଥିଲେ । ମାତ୍ର ପରମଜିତ ଫେରି ନଥିଲେ।