ରାଞ୍ଚି: ଆମକୁ ଘୋଡ଼ା ଦିଅ ଆମେ ତମକୁ ରୋଜଗାର ଦେବୁ । ଛତିଶଗଡର କୁସମୀ ଅଞ୍ଚଳର ଗ୍ରାମବାସୀଙ୍କ ପାଖରେ ଏଭଳି ଦାବି ରଖିଛି CRPF । ଲୋକେ ଯେପରି ମୁଖ୍ୟ ସ୍ରୋତରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ସେନା ଆରମ୍ଭ କରିଛି ଏଭଳି ନୂତନ ପ୍ରୟାସ । ଆଉ CRPFର ଏଭଳି ପ୍ରୟାସକୁ ମଧ୍ୟ କୁସମୀ ଗ୍ରାମବାସୀ ପ୍ରଶଂସା କରିଛନ୍ତି । ରୋଜଗାର କରିପାରୁଛନ୍ତି ୪-୫ ହଜାର ଟଙ୍କା । ଝାରଖଣ୍ଡ ଜିଲ୍ଲା ପଲାମୁ ଅଞ୍ଚଳରେ ଅବସ୍ଥିତ ବୁଢ଼ା ପାହାଡ଼ରେ ଗ୍ରାମବାସୀଙ୍କ ପାଇଁ ରୋଜଗାର ଯୋଗାଉଛି ଘୋଡ଼ା ।
ସୁରକ୍ଷାବାହିନୀର ଶିବିରରେ ସାମଗ୍ରୀ ବିତରଣ କରି ଗ୍ରାମବାସୀ ଟଙ୍କା ରୋଜଗାର କରୁଛନ୍ତି ସ୍ଥାନୀୟ ବାସିନ୍ଦା । ଗ୍ରାମବାସୀମାନେ ଘୋଡା ସାହାଯ୍ୟରେ ପାହାଡରେ ଥିବା ସୁରକ୍ଷା ବାହିନୀ କ୍ୟାମ୍ପରେ ପହଞ୍ଚ ନ୍ତି। ଏହା ପରିବର୍ତ୍ତେ, ଯବାନମାନେ ସେମାନଙ୍କୁ କିଛି ପାରିଶ୍ରମିକ ଦିଅନ୍ତି । ଏଥିରେ ଗ୍ରାମବାସୀ ପ୍ରୋତ୍ସାହିତ ହୋଇ ଘୋଡା କିଣୁଛନ୍ତି । ଏବେ ଏହି ଘୋଡ଼ା ଯୋଗାଉଛି ରୋଜଗାର । ଏହି ପାହାଡ଼ ଉପରେ CRPF କ୍ୟାମ୍ପ ରହିଛି । ତେବେ ଏହି ପାହାଡ଼ ଉପରକୁ ଯିବା ପାଇଁ ରାସ୍ତାଟିଏ ନାହିଁ । ଫଳରେ ଯାତାୟତ ସମୟରେ ଅନେକ ଅସୁବିଧା ଭୋଗିଥାନ୍ତି ସ୍ଥାନୀୟ ଲୋକେ ।
ରାସ୍ତା ନଥିବାରୁ ଏହି କ୍ୟାମ୍ପକୁ ସାମଗ୍ରୀ ନେଣଦେଣରେ ଅସୁବିଧା ହୋଇଥାଏ । ଠିକ୍ ସମୟରେ ସାମଗ୍ରୀ ପହଞ୍ଚିପାରେ ନାହିଁ । ଫଳରେ ଅଧିକାଂଶ ସମୟରେ CRPF ଯବାନ ଅସୁବିଧାରେ ପଡ଼ିଥାନ୍ତି । ଖାଲି ସେନା ନୁହଁନ୍ତି ଏଠାକୁ ଜିନିଷ ଦେବାକୁ ଆସୁଥିବା ଲୋକ ମଧ୍ୟ ଅସୁବିଧା ଭୋଗିଥାଏ । ତେବେ ଏହି ସମସ୍ୟାରୁ କିଭଳି ମୁକ୍ତି ପାଇବେ ସେନେଇ CRPF ଯବାନମାନେ ଏକ ଉପାୟ ରଚିଲେ । ଯଦି ଏଠିକାର ଲୋକେ ଘୋଡ଼ାରେ ସାମଗ୍ରୀ ଆଣିବେ ତାହାଲେ କମ ସମୟରେ ଜିନିଷ ପହଞ୍ଚି ପାରିବ । ଯେଉଁମାନେ ଖୋଦ ନିଜେ ସାମଗ୍ରୀ ଆଣି ଏହି କ୍ୟାମ୍ପରେ ବିତରଣ କରୁଛନ୍ତି ସେମାନଙ୍କୁ ପ୍ରତି ଯାତ୍ରା ପାଇଁ ଶହେ ଟଙ୍କା ଦିଆଯାଉଛି । ସେହିପରି ଘୋଡା ସାହାଯ୍ୟରେ ସାମଗ୍ରୀ ବିତରଣ କରୁଥିବା ଲୋକଙ୍କୁ ପ୍ରତି ଯାତ୍ରା ପାଇଁ 5ଶହ ଟଙ୍କା ଦିଆଯାଉଛି । ତେଣୁ ଘୋଡା କିଣିବା ପାଇଁ ସୁରକ୍ଷାବାହିନୀ ଗ୍ରାମବାସୀଙ୍କୁ ନିବେଦନ କରିଛନ୍ତି । ଯାହାଦ୍ବାରା ଯୋଗାଣ ଲାଇନ ସହିତ ସଂଯୋଗ କରି ଅଧିକରୁ ଅଧିକ ଲୋକଙ୍କୁ ରୋଜଗାର ଯୋଗାଇ ଦିଆଯାଇପାରିବ ।
ଏ ସମ୍ପର୍କରେ ପଲାମୁ ରେଞ୍ଜର ଆଇଜି ରାଜକୁମାର ଲାକ୍ରା କହିଛନ୍ତି ଯେ, ଶିବିର ମାଧ୍ୟମରେ ଲୋକଙ୍କୁ ନିଯୁକ୍ତି ଯୋଗାଇବା ପାଇଁ ପଦକ୍ଷେପ ନିଆଯାଇଛି । ଯଦି ଲୋକମାନେ ସୁରକ୍ଷାବାହିନୀର ଶିବିରର ଯୋଗାଣ ଲାଇନ ସହିତ ସଂଯୋଗ କରନ୍ତି, ତେବେ ସେମାନଙ୍କୁ ଚାକିରି ପାଇଁ ସ୍ଥାନାନ୍ତର କରିବାକୁ ପଡିବ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତା ୬-୮ ମାସ ମଧ୍ୟରେ ଏଠାକୁ ଆସିବା ପାଇଁ ଏକ ରାସ୍ତାର ସୁବିଧା କରାଯିବ।ଫଳରେ ଲୋକମାନେ ଯାତାୟାତରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।