ରାୟପୁର:ଛତିଶଗଡରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ନକ୍ସଲଙ୍କ ଉପଦ୍ରବ ଦେଖିବାକୁ ମିଳୁଛି । ମତଦାନ ସମୟରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଛନ୍ତି । ସୁକମା ଜିଲ୍ଲାର ତୋଣ୍ଡମାରକା ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଛି । ଏଥିରେ CRPFର ଜଣେ ଯବାନ ଆହତ ହୋଇଛନ୍ତି । ବିସ୍ଫୋରଣ ବେଳେ ଯବାନ ଜଣକ ନିର୍ବାଚନ ଡ୍ୟୁଟିରେ ମୁତୟନ ହୋଇଥିଲେ । ଏନେଇ ସୁକମା ଏସପି କିରନ ଚଭନ ସୂଚନା ଦେଇଛନ୍ତି ।
ପୋଲିସ ମୁତାବକ, CRPF ଓ କୋବ୍ରାର ୨୦୬ବି ବାଟାଲିୟନର ମିଳିତ ଟିମ୍ ତୋଣ୍ଡମାରକା କ୍ୟାମ୍ପ୍ରୁ ଏଲମାଗୁଣ୍ଡା ଗାଁ ଅଭିମୁଖେ ଯାଉଥିଲେ । ପାଟ୍ରୋଲିଂ ବେଳେ କୋବ୍ରା ୨୦୬ବି ବାଟାଲିୟନର ଇନ୍ସପେକ୍ଟର ଶ୍ରୀକାନ୍ତଙ୍କ ପାଦ ଅଜଣାତରେ ନକ୍ସଲଙ୍କ ଦ୍ବାରା ଖଞ୍ଜା ଯାଇଥିବା ଆଇଇଡି ଉପରେ ପଡି ଯାଇଥିଲା । ଫଳରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା ଏବଂ ଏଥିରେ ଯବାନ ଆହତ ହୋଇଯାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ସେ ଏବେ ବିପଦମୁକ୍ତ ଅଛନ୍ତି । ତେବେ ଯେଉଁ ଅଞ୍ଚଳରେ ବିସ୍ଫୋରଣ ହୋଇଛି ତାହା କୋଣ୍ଟା ବିଧାନସଭା କ୍ଷେତ୍ରରେ ମଧ୍ୟରେ ଆସୁଛି । କୋଣ୍ଟାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମତଦାନ ହେଉଥିବା ବେଳେ ଏଠାରୁ ଛତିଶଗଡ ମନ୍ତ୍ରୀ କବାସୀ ଲଖମା ପ୍ରତିଦ୍ବନ୍ଦିତା କରୁଛନ୍ତି ।
ଏହାମଧ୍ୟ ପଢନ୍ତୁ: Assembly Poll: ଆଜି ଛତିଶଗଡ-ମିଜୋରାମ ବିଧାନସଭା ନିର୍ବାଚନ, ଭୋଟିଂ ଜାରି