ପାଟନା:ବିହାରରେ ଉତ୍ତର ପ୍ରଦେଶର ଷ୍ଟାଇଲରେ ପୋଲିସର ଏନକାଉଣ୍ଟର । ବୈଶାଳୀରେ ପୋଲିସ ଏନକାଉଣ୍ଟରରେ ଦୁଇ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି । ଅଭିଯୁକ୍ତ ଦୁଇଜଣ ଆଜି ପୂର୍ବାହ୍ନରେ ଜଣେ ପୋଲିସ କନେଷ୍ଟବଳଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । କନେଷ୍ଟବଳଙ୍କ ମୃତ୍ୟୁର ମାତ୍ର 3 ଘଣ୍ଟା ମଧ୍ୟରେ ବୈଶାଳୀ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି । ପୋଲିସର ଏନକାଉଣ୍ଟର ପରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ବୈଶାଳୀ ଏସପି ରବି ରଞ୍ଜନ ଏନକାଉଣ୍ଟର ସମ୍ପର୍କରେ ପ୍ରେସମିଟ କରି କହିଛନ୍ତି, କନେଷ୍ଟବଳଙ୍କୁ ଗୁଳି ଚଲାଇଥିବା ଏହି ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା । ଉଭୟଙ୍କୁ ନଗର ଥାନାକୁ ନେବା ସମୟରେ ସେମାନେ ପୋଲିସକୁ ଧକ୍କା ମାରି ଫେରାର ହେବା ପାଇଁ ପ୍ରୟାସ କରିଥିଲେ । ଫଳରେ ସେମାନଙ୍କୁ ଥାନାକୁ ନେଉଥିବା ପୋଲିସ କର୍ମୀ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲେ । ଉଭୟଙ୍କୁ ଗୁଳି ଲାଗିବା ପରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଉଭୟ ମୃତକଙ୍କ ନାମ ସତ୍ୟପ୍ରକାଶ ଓ ବିଟୁ । ସେମାନେ ଗୟା ଜିଲ୍ଲାର ବାସିନ୍ଦା ଭାବେ ଚିହ୍ନଟ ହୋଇଛନ୍ତି । ଦୁଇ ମୃତଦେହ ହସ୍ପିଟାଲରେ ରଖାଯାଇଛି । ବ୍ୟବଚ୍ଛେଦ ପରେ ପରବର୍ତ୍ତୀ ପ୍ରକ୍ରିୟା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ।