ପାଟନା: ବିହାରର ଦାନାପୁର କୋର୍ଟ ପରିସରରେ ଜଣେ କଏଦୀ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ । ପୋଲିସ ସାମ୍ନାରେ କଏଦୀକୁ ହତ୍ୟା କରାଯାଇଥିବା ବେଳେ ୨ ଅଭିଯୁକ୍ତଙ୍କୁ କାବୁ କରିଛି ପୋଲିସ । ହଠାତ କୋର୍ଟ ପରିସରରେ ଗୁଳିମାଡ଼ ହେବା ପରେ ଏଠାକୁ ଆସିଥିବା ଲୋକେ ଭୟଭୀତ ହୋଇପଡ଼ି ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପାଟନା ପଶ୍ଚିମ ସିଟି ଏସପି ଓ ଏହାର ନିକଟବର୍ତ୍ତୀ କିଛି ଥାନାର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ଦେଖିବାକୁ ମିଳିଛି ।
ମିଳିଥିବା ସୂଚନା ଅନୁସାରେ ଗୁଳିମାଡରେ ପ୍ରାଣ ହରାଇଥିବା କଏଦୀର ନାମ ହେଉଛି ଅଭିଷେକ କୁମାର ଓରଫ ଛୋଟେ ସରକାର । ଏହି କଏଦୀ ଜଣକ ବେଉର ଜେଲରେ ବନ୍ଦୀ ଥିଲା । ଏକ ମାମଲାରେ ତାକୁ କୋର୍ଟରେ ହାଜର କରିବା ଲାଗି ପୋଲିସ ନେଇ ଯାଉଥିବା ସମୟରେ ଯୋଜନା ମୁତାବକ ୨ ଜଣ ଅଭିଯୁକ୍ତ ଆଖିବୁଜା ଗୁଳିମାଡ଼ କରିଥିଲେ । ଏହାପରେ ପୋଲିସ ତୁରନ୍ତ ଆକ୍ସନ ମୋଡକୁ ଆସି ୨ ଅଭିଯୁକ୍ତଙ୍କୁ କାବୁ କରିଥିଲା । ଗୁଳିମାଡ଼ରେ ପ୍ରାଣ ହରାଇଥିବା କଏଦୀ ଛୋଟେ ସରକାର ଉପରେ ବିହଟା ଥାନା ବ୍ୟତୀତ ପାଟନା ଜିଲ୍ଲାର ଅନେକ ଥାନାରେ ଅପରାଧିକ ମାମଲା ରହିଥିଲା । ଗତ କିଛି ମାସ ଧରି ବେଉର ଜେଲରେ ସେ ବନ୍ଦୀ ଥିଲା । ଏକ ମାମଲାରେ କୋର୍ଟରେ ହାଜର ପାଇଁ ତାକୁ ଅଣାଯାଉଥିବା ସମୟରେ ଦିବାଲୋକରେ ତାକୁ ଗୁଳି କରି ହତ୍ୟା କରାଯାଇଥିଲା ।
ଏହା ବି ପଢନ୍ତୁ- ତିହାର ଜେଲରେ ହତ୍ୟାକାଣ୍ଡ: କଏଦୀକୁ ହତ୍ୟା କଲା ଆଉ ଜଣେ କଏଦୀ