ଲକ୍ଷ୍ନୌ: ବାପା ଘରକୁ ଯିବାକୁ ସ୍ତ୍ରୀକୁ ମନା କରିଦେଲା ସ୍ବାମୀ । ସ୍ତ୍ରୀର ମୁଣ୍ଡରେ ଚଢ଼ିଲା ପିତ । ରାଗରେ ଜର୍ଜରିତ ହୋଇ ସ୍ବାମୀର ଆଖି ଫୁଟାଇ ଦେଲା ସ୍ତ୍ରୀ । ଗୁରୁତର ଅବସ୍ଥାରେ ବ୍ୟକ୍ତି ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର କୋନ୍ ପୋଲିସ ଷ୍ଟେସନ ଅଞ୍ଚଳର ରାମଘରରେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି । ଆହତ ସ୍ବାମୀ ହେଉଛନ୍ତି ଗୁଲାମ ରବାନୀ ଓ ତାଙ୍କୁ ଆକ୍ରମଣ କରିଥିବା ସ୍ତ୍ରୀ ହେଉଛନ୍ତି ଅଲକମା ପରବୀନ ।
ମିଳିଥିବା ସୂଚନା ଅନୁଯାୟୀ, ଗୁଲାମ ରବାନୀ ଓ ଅଲକମା ପରବୀନଙ୍କ ମଧ୍ୟରେ ଶୁକ୍ରବାର ବଚସା ହୋଇଥିଲା । ଅଲକମା ବାପ ଘରକୁ ଯିବାକୁ ଜିଦ ଧରିଥିଲେ । କିନ୍ତୁ ଏହାକୁ ବାରଣ କରିଥିଲେ ଗୁଲାମ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଥିଲା । ଅଲକମା ରାଗିଯାଇ ପାଖରେ ଥିବା ଏକ ବାଟିରେ ତାଙ୍କ ସ୍ବାମୀ ଗୁଲାମଙ୍କୁ ଆକ୍ରମଣ କରିଥିଲେ । ଯାହା ଫଳରେ ଗୁଲାମଙ୍କ ଆଖିରେ ଗଭୀର ଆଘାତ ଲାଗିଥିଲା । ସଙ୍ଗେ ସଙ୍ଗେ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ରେଫର କରାଯାଇଛି ।