ଓଡିଶା

odisha

By

Published : Jun 25, 2023, 7:09 AM IST

ETV Bharat / bharat

ମୁଖତାର ଅନସାରୀର ସହଯୋଗୀ ଅମିତ ରୟ ଗିରଫ, ରହିଛି ଏକାଧିକ ମାମଲା

ମାଫିଆ ମୁଖତାର ଅନସାରୀର ସହଯୋଗୀ ଅମିତ ରୟ ଗିରଫ । ଥାନାରେ ଉତ୍ତେଜନା ସୃଷ୍ଟି କରି ଛଡାଇ ନେବାକୁ ସମର୍ଥକଙ୍କ ଉଦ୍ୟମ । ଲାଠିଚାର୍ଜ କରି ଘଉଡାଇଲା ପୋଲିସ । ଅଧିକ ପଢନ୍ତୁ

ମାଫିଆ ମୁଖତାର ଅନସାରୀର ସହଯୋଗୀ ଅମିତ ରୟ ଗିରଫ
ମାଫିଆ ମୁଖତାର ଅନସାରୀର ସହଯୋଗୀ ଅମିତ ରୟ ଗିରଫ

ଲକ୍ଷ୍ନୌ: ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ମାଫିଆ-ରାଜନେତା ମୁଖତାର ଅନସାରୀର ଅପରାଧିକ ସହଯୋଗୀ ଅମିତ ରୟକୁ ପୋଲିସ ଗିରଫ କରିଛି । ଶୁକ୍ରବାର ରାତିରେ ଗାଜିପୁର ଜିଲ୍ଲା ପୋଲିସ ଅନସାରୀର ସହଯୋଗୀ ତଥା ଜିଲ୍ଲା ପୋଲିସ ରେକର୍ଡରେ ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ଥିବା ଅପରାଧୀ ଅମିତ ରାୟଙ୍କୁ ଗିରଫ କରିଛି । ଅମିତ ନାମରେ ଏକାଧିକ ସଙ୍ଗୀନ ଅପରାଧିକ ମାମଲା ରହିଛି ।

ସେ ଗତ କିଛି ମାସ ହେଲା ଫେରାର ରହି ଅପରାଧିକ କାର୍ଯ୍ୟକଳାପ ଜାରି ରଖିଥିଲା । ଗତକାଲି ରାତିରେ ତା' ସମ୍ପର୍କରେ ସୂଚନା ମିଳିବା ପରେ ସ୍ଥାନୀୟ କରିମୁଦ୍ଦିନପୁର ପୋଲିସ ତାକୁ ଗିରଫ କରି ଥାନାକୁ ଆଣିଥିଲା । ହେଲେ ତା'ର ଗିରଫ ଖବର ମିଳିବା ପରେ ଶତାଧିକ ପୁରୁଷ ଓ ମହିଳା ଥାନାରେ ପହଞ୍ଚି ପୋଲିସକୁ ଆକ୍ରମଣ କରି ତାକୁ ଛଡାଇ ନେବାକୁ ଉଦ୍ୟମ କରିଥିଲେ । ପୋଲିସ ମଧ୍ୟ ପାଲଟା କାର୍ଯ୍ୟାନୁଷ୍ଠାନରେ ଲାଠିଚାର୍ଜ କରିବା ପରେ ସମର୍ଥକଙ୍କ ଭିଡ ଛତ୍ରଭଙ୍ଗ ଦେଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଗତକାଲି ରାତିରେ କରିମୁଦ୍ଦିନପୁର ପୋଲିସ କୌଣସି ସୂତ୍ରରୁ ସୂଚନା ପାଇ ଅମିତ ରାୟକୁ ଗିରଫ କରିଥିଲା । ହେଲେ ଅଭିଯୁକ୍ତ ଅମିତର ବାପା ସ୍ଥାନୀୟ ଗ୍ରାମର ମୁଖିଆ ହୋଇଥିବାରୁ ଶତାଧିକ ପୁରୁଷ ମହିଳା ପୋଲିସ ବିରୋଧରେ ନାରାବାଜି କରିଥିଲେ । ସେମାନେ ଏକାଠି ହୋଇ ଥାନାକୁ ଘେରାଉ କରିବାକୁ ଉଦ୍ୟମ ମଧ୍ୟ କରିଥିଲେ । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଫଳରେ ପୋଲିସ ମଧ୍ୟ ବଳ ପ୍ରୟୋଗ କରିବାକୁ ବାଧ୍ୟ ହୋଇଥିଲା ।

ଗାଜିପୁର ଏସପି ଓମବୀର ସିଂ କହିଛନ୍ତି ଯେ, ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ଥାନାରେ ସ୍ଥାନୀୟ କିଛି ସମର୍ଥକମାନେ ଉତ୍ତେଜନା କରିଥିଲେ । ପୋଲିସ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲା । ସେମାନେ ଛତ୍ରଭଙ୍ଗ ଦେଇଥିଲେ । ଅଭିଯୁକ୍ତ ଜଣେ ପେଶାଦାର ଅପରାଧୀ । ଅତୀତରେ ତା'ର ବାହୁବଳୀ ରାଜନେତା ମୁଖତାର ଅନସାରୀ ସହ ମଧ୍ୟ ଅପରାଧିକ ସମ୍ପର୍କ ରହିଛି । ପୋଲିସ ରେକର୍ଡରେ ଜିଲ୍ଲାର 10 ବଡ ଅପରାଧୀଙ୍କ ମଧ୍ୟରେ ରହିଥିଲା ଅଭିଯୁକ୍ତର ନାମ । ସେ ଫେରାର ଥିଲା ।

ଗତକାଲି ତାକୁ ସୂଚନା ଆଧାରରେ ଗିରଫ କରାଯାଇଛି । ତା' ବିଷୟରେ ପୂର୍ବ ମାମଲାର ତଦନ୍ତ କରାଯାଉଛି । ଗତକାଲି ତାକୁ ସମର୍ଥନ କରି ଥାନାରେ ଉତ୍ତେଜନା ସୃଷ୍ଟି କରିଥିବା ଗ୍ରାମବାସୀ ତଥା ତା'ର ସହଯୋଗୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେମାନଙ୍କୁ ମଧ୍ୟ ଚିହ୍ନଟ କରାଯିବା ପ୍ରକ୍ରିୟା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details