ପାଟନା: ପ୍ରେମିକ ପାଇଁ ଜନ୍ମ କଲା ଝିଅ ହେଲା ପର । ପ୍ରେମିକ ଆପଣାଇବାକୁ ମନା କରିବା ପରେ ଶେଷରେ ଅନ୍ୟ ହାତରେ ନିଜ ଝିଅକୁ ଟେକି ଦେଲା ମାଆ । ଝାଡ଼ଖଣ୍ଡର ଏକ ନାବାଳିକାକୁ ମାଆ ବିହାରରେ ୨.୫ ଲକ୍ଷ ଟଙ୍କାରେ ବିକ୍ରି କରିଛି । ଖାଲି ସେତିକି ନୁହେଁ ଝିଅକୁ ବିକିଲା ପରେ ପୁଅକୁ ଛାଡ଼ିଲା ହଷ୍ଟେଲରେ । ଏହା ପରେ ଦିଲ୍ଲୀ ପ୍ରେମିକ ସହିତ କରିଛି ବିବାହ । ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ବିକ୍ରି ହୋଇଥିବା ନାବାଳିକାକୁ ଉଦ୍ଧାର କରିଥିବା ବେଳେ କିଣିଥିବା ବ୍ୟକ୍ତିକୁ ଗିରଫ କରିଛି ।
ରାଞ୍ଚି ଅଧିବାସୀ ଏକ ଦମ୍ପତି ନିଜ ୨ ସନ୍ତାନକୁ ନେଇ କାମ ଖୋଜିବା ବାହାନାରେ ମୁଜ୍ଜଫରପୁର ଆସିଥିଲେ । ଏଠାରେ ସ୍ବାମୀସ୍ତ୍ରୀ ହସଖୁସିରେ ନିଜ ସଂସାର ମଧ୍ୟରେ ହଜିଯାଇଥିଲେ । ସବୁକିଛି ଠିକ ଚାଲିଥିଲା । ହେଲେ ଗତ ୨ ବର୍ଷ ପୂର୍ବେ ଅଭିଯୁକ୍ତ ମହିଳାଙ୍କୁ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ମହିଳାଙ୍କ ଉପରେ ୨ ସନ୍ତାନଙ୍କ ବୋଝ ପଡ଼ିଥିଲା । ଏହି ସମୟରେ ମହିଳା ଜଣକ ଅନ୍ୟ ଜଣେ ଯୁବକଙ୍କ ସହିତ ସମ୍ପର୍କ ରଖିଥିଲେ । ଉଭୟଙ୍କ ମଧ୍ୟରେ ସମ୍ପର୍କେ ଏତେ ଗଭୀର ହୋଇଥିଲା ଯେ ଉଭୟ ବିବାହ କରିବା ଲାଗି ମନସ୍ଥ କରିଥିଲେ ।
ଏହା ବି ପଢନ୍ତୁ- ମରିଗଲା ମାନବିକତା, ଟଙ୍କା ପାଇଁ ଝିଅକୁ ବିକିଲା ମାଆ
ହେଲେ ଯୁବକ ଜଣକ ମହିଳାଙ୍କ ୨ ସନ୍ତାନଙ୍କୁ ଗ୍ରହଣ କରିବା ଲାଗି ପ୍ରସ୍ତୁତ ନଥିଲା । ଏହାପରେ ମହିଳା ଜଣକ ପ୍ରେମିକ ଲାଗି ନିଜ ସନ୍ତାନଙ୍କୁ କଲା ପର । ମହିଳା ଜଣକ ଅନ୍ୟ ଜଣେ ମହିଳାଙ୍କ ସହାୟତାରେ ନିଜ ନାବାଳିକ ଝିଅକୁ ଜଣେ ବ୍ୟବସାୟୀଙ୍କ ହାତରେ ଟେକି ଦେଇଥିଲା । ଝିଅ ବଦଳରେ ଉକ୍ତ ବ୍ୟବସାୟୀଙ୍କଠାରୁ ଅଢେଇ ଲକ୍ଷ ଟଙ୍କା ମଧ୍ୟ ଆଣିଥିଲା । ଝିଅକୁ ବିକ୍ରି କରିବା ପରେ ପୁଅକୁ ଏକ ଘରୋଇ ସ୍କୁଲ ହଷ୍ଟେଲରେ ଛାଡ଼ିଥିଲେ ଅଭିଯୁକ୍ତ ମହିଳା । ଏହାପରେ ଦିଲ୍ଲୀ ପ୍ରେମିକ ସହିତ ବିବାହ କରିଥିବା ଜଣାପଡ଼ିଛି ।
କେମିତି ଘଟଣା ସାମ୍ନାକୁ ଆସିଲା ?:- ମହିଳା ଜଣକ ଯେତେବେଳେ ପୁଅକୁ ଛାଡ଼ିଥିବା ହଷ୍ଟେଲରେ ବକେୟା ଅର୍ଥ ଦେଇନଥିଲେ, ସେତେବେଳେ ଘଟଣାଟି ସାମ୍ନାକୁ ଆସିଥିଲା । ହଷ୍ଟେଲ ପରିଚାଳକ ମହିଳାଙ୍କ ପରିବାର ସଦସ୍ୟଙ୍କୁ ଏ ନେଇ ଅବଗତ କରିଥିଲେ । ଏହାପରେ ପରିବାର ମହିଳାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରିବା ସମୟରେ ନାବାଳିକାକୁ ମଧ୍ୟ ଉଦ୍ଧାର କରିଛି । ଏହାପରେ ମହିଳା ଓ ତାଙ୍କ ପ୍ରେମିକକୁ ପୋଲିସ ଗିରଫ କରିଛି । ମୁଜ୍ଜଫରପୁର ଏସଏସପି ରାକେଶ କୁମାର ପୁରା ଘଟଣାର ଯାଞ୍ଚ କରୁଥିବା ଜଣାପଡ଼ିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ