ପାଟନା: ଗୋଟିଏ ପଟେ ବିହାରରେ ଅପରାଧିକ ଘଟଣା ବଢୁଥିବା ବେଳେ ରାଜ୍ୟରେ ଏମିତି ଏକ ଗାଁ ରହିଛି, ଯେଉଁଠି ଆଜି ପର୍ଯ୍ୟନ୍ତ ଅପରାଧ ଘଟିନାହିଁ । ଆଜ୍ଞା ହଁ, ଏହି ଖବର ପଢିବାକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ବାସ୍ତବରେ ବିହାର ରାଜ୍ୟରେ ଏଭଳି ଏକ ଗାଁ ରହିଛି । ଏଠାକାର ଲୋକେ ଏଯାବତ୍ କୋର୍ଟ ବା ଥାନାର ଦ୍ବାର ଦେଖିନାହାନ୍ତି । ବିହାରର ପଶ୍ଚିମାଞ୍ଚଳ କଟରାଓ ଗାଁ (katrao village in bettiah bihar) ଅପରାଧବିହୀନ ଗାଁ ଭାବେ ଖ୍ୟାତି ଅର୍ଜନ କରିଛି ।
ଏହି ଗାଁରେ ଜନସଂଖ୍ୟା କମ ରହିଛି । ସ୍ବାଧୀନତା ପରଠାରୁ ଏହି ଗାଁରେ(Crime Free Village Of Bettiah ) ଗୋଟିଏ ବି ଅପରାଧ ଘଟିନାହିଁ । ସ୍ବାଧୀନତା ପୂର୍ବରୁ ମଧ୍ୟ ଏହି ଗାଁରେ ସମାନ ସ୍ଥିତିରେ ରହିଥିଲା । ଏହି କାରଣ ଯୋଗୁଁ କଟରାଓ ଗାଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏଠାକାର ବାସୀ ଆଜି ବି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅହିଂସା ମାର୍ଗକୁ ଅନୁସରଣ କରୁଛନ୍ତି । ଏଠାରେ ପ୍ରାୟ ୧ ହଜାର ଲୋକ ବାସ କରନ୍ତି । ଏହି ଗାଁ ପାଟନା ଠାରୁ ୨୮୫ କିଲୋମିଟର ଦୂରରେ ଅବସ୍ଥିତ । ଏଠାରେ ବିଭିନ୍ନ ଧର୍ମାବଲମ୍ବୀ ଲୋକେ ମଧ୍ୟ ରୁହନ୍ତି । ଏହାବ୍ୟତୀତ ଏଠାରେ ଚୋରି ଡକାୟତି ମଧ୍ୟ ହୋଇନଥାଏ ।
ଥାନା ଦ୍ବାର ଦେଖିନାହାନ୍ତି କଟରାଓବାସୀ:-
ଏଠାରେ କୌଣସି ବିଶେଷ ଅପରାଧ ହୋଇନଥାଏ । ଯଦି କୌଣସି ଛୋଟ ବିବାଦ ଉପୁଜେ ତେବେ ଏହାକୁ ଗାଁ ପଞ୍ଚାୟତରେ ସମାଧାନ କରାଯାଏ । ଫଳରେ ଆଜି ପର୍ଯ୍ୟନ୍ତ ଏହି ଗ୍ରାମର କୌଣସି ଲୋକ କୋର୍ଟ କି ଥାନା ଦ୍ବାର ମାଡିନାହାନ୍ତି । ଏଥିଲାଗି ଗ୍ରାମବାସୀ ଶାନ୍ତିର ସହିତ ଜୀବନ ଅତିବାହିତ କରୁଛନ୍ତି । ଏଠାକାର ବାସୀ ଅନ୍ୟ ଲୋକଙ୍କୁ ଅହିଂସା ଓ ଶାନ୍ତିର ସହିତ ବଞ୍ଚିବାକୁ ମଧ୍ୟ ପରାମର୍ଶ ଦେଇଥିବା ନଜିର ରହିଛି ।