ଅଗରତାଲା:ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ 16 ତାରିଖରେ ମତଦାନ ହେବାକୁ ଯାଉଛି । ଏହା ପୂର୍ବରୁ ଜୋରଦାର ପ୍ରଚାର ଜାରି ରଖିଛି ଭାରତୀୟ ଜନତା ପାର୍ଟି । ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ଆଜି ଦଳର ଅନ୍ୟତମ ହେଭିଓ୍ବେଟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତ୍ରିପୁରାର ଚଣ୍ଡିପୁର ବିଧାନସଭା କ୍ଷେତ୍ରରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି । ରାଜ୍ୟରେ କଂଗ୍ରେସ ସହ ମେଣ୍ଟ କରି CPIM ପରାଜିତ ହେବାକୁ ଯାଉଛି ବୋଲି ଶାହ କହିଛନ୍ତି ।
ଆଜି(ରବିବାର) ଚଣ୍ଡିପୁରରେ ଦଳ ପକ୍ଷରୁ ଆୟୋଜିତ ନିର୍ବାଚନୀ ସଭା ‘ବିଜୟ ସଙ୍କଳ୍ପ ରାଲି’କୁ ସମ୍ବୋଧିତ କରିଥିଲେ କରିଥିଲେ ଶାହ । ଶାହ କହିଥିଲେ CPIM ଓ କଂଗ୍ରେସ ମେଣ୍ଟ କରିବା ପରେ ମଧ୍ୟ ସେମାନେ ବିଜେପିର ମୁକାବିଲା କରିପାରିବେ ନାହିଁ । ଏହି ମେଣ୍ଟ କାରଣରୁ ହିଁ CPIM ତ୍ରିପୁରାରେ ପରାଜିତ ହେବାକୁ ବାଧ୍ୟ ହେବ ।
ଶାହା କହିଛନ୍ତି," CPIM ସହିତ ମେଣ୍ଟ କରି କଂଗ୍ରେସ ଲଜ୍ଜା ଅନୁଭବ କରିବା ଉଚିତ । ସେମାନେ ଅନେକ କଂଗ୍ରେସ କର୍ମୀଙ୍କୁ ହତ୍ୟା କରିଥିଲେ । ଏବେ କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ଲଢିବାକୁ ଯାଉଛନ୍ତି । ବିଜେପି ସରକାର ରାଜ୍ୟରେ ସ୍ୱାସ୍ଥ୍ୟ ବୀମା କରିଛନ୍ତି ଏବଂ ସମସ୍ତ ଘରକୁ ପାନୀୟ ଜଳ ଯୋଗାଇ ଦିଆଯାଇଛି । ସେହିପରି ଗ୍ୟାସ ସିଲିଣ୍ଡର ଯୋଗାଇବା ସହ ଘରେଘରେ ଶୌଚାଳୟ ନିର୍ମାଣ କରିବା ଭାରତୀୟ ଜନତା ପାର୍ଟି ସରକାରରେ ସମ୍ଭବ ହୋଇପାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ରାଜ୍ୟରେ ମାଣିକ ସାହା ସରକାର ଏକାଧିକ ଉନ୍ନତିମୂଳକ କାମ କରିଛି । ସେହିପରି ଗତ 5 ବର୍ଷ ମଧ୍ୟରେ ତ୍ରିପୁରାରେ ଶାନ୍ତି ପ୍ରତିଷ୍ଠା ହୋଇପାରିଛି ବୋଲି ଶାହ କହିଥିଲେ ।