ଜୟପୁର: ବିଦେଶରେ ବଢୁଛି ଭାରତର ଗାଈ ଗୋବର ଡିମାଣ୍ଡ । କୁଏତକୁ ଗୋବର ରପ୍ତାନୀ କରିବାକୁ ଯାଉଛି ଭାରତ । ଜୈବିକ ଚାଷକାର୍ଯ୍ୟ ପାଇଁ ବିଦେଶୀ ରାଷ୍ଟ୍ର ଗୋବର ଆବଶ୍ୟକ କରୁଛନ୍ତି । ଯେଉଁ କାରଣରୁ ବର୍ତ୍ତମାନ ଭାରତର ଗୋବର ଚାହିଦା କ୍ରମଶଃ ବୃଦ୍ଧି ପାଉଛି । କୁଏତ ଭାରତରୁ ୧୯୨ ମାଟ୍ରିକ ଟନ ଦେଶୀ ଗାଈ ଗୋବର ଆମଦାନୀ(Cow Dung Exported from India to Kuwait) କରିଛି । କୁଏତ ପରେ ୟୁଏଇର ଶାରଜାହ ମଧ୍ୟ ଭାରତରୁ ଗୋବର ଆମଦାନୀ କରିବ ବୋଲି ଜଣାପଡିଛି । ସେଠାକୁ ପ୍ରାୟ ୧୦୦୦ ମେଟ୍ରିକ ଟନ୍ ଗୋବର ପଠାଇବାକୁ କରିବାକୁ ଭାରତକୁ ଅର୍ଡର ମିଳିଛି ।
ନିକଟରେ କୁଏତ ଗୋବର ପାଇଁ ଭାରତକୁ ଅର୍ଡର ଦେଇଛି । ଏହା ପ୍ରଥମଥର, ଯେତେବେଳେ ଭାରତରୁ ଗୋବର ବିଦେଶକୁ ରପ୍ତାନୀ ହେବ । ଭାରତୀୟ ଜୈବିକ କିଷାନ ଉତ୍ପାଦକ ସଙ୍ଘ ପକ୍ଷରୁ ଦେଶରେ ଚାଲୁଥିବା 'ଜୈବିକ ଚାଷ ମିଶନ' ଯୋଗୁଁ ଏହା ସମ୍ଭବପର ହୋଇପାରିଛି । ଭାରତର ଗୋବର ରପ୍ତାନୀ ସମ୍ପର୍କରେ ସଙ୍ଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡା.ଅତୁଲ ଗୁପ୍ତା ସୂଚନା ଦେଇଛନ୍ତି । ବର୍ତ୍ତମାନ କଷ୍ଟମ ବିଭାଗର ନିରୀକ୍ଷଣରେ ଜୟପୁର ଟୋଙ୍କ ରୋଡ ସ୍ଥିତ ଶ୍ରୀପିଞ୍ଜରାପୋଲ ଗୋଶାଳାର ସନରାଇଜ ଅର୍ଗାନିକ ପାର୍କରେ ରପ୍ତାନୀ ପାଇଁ ଗୋବର ପ୍ୟାକିଂ ଚାଲିଛି । କଣ୍ଟେନର ମଧ୍ୟରେ ଏହାକୁ ପ୍ୟାକ୍ କରାଯାଉଛି । ଆସନ୍ତା ଜୁନ ୧୫ରେ କନକପୁରା ରେଳ ଷ୍ଟେସନରୁ କଣ୍ଟେନର ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିବ ଏବଂ ସେଠାରୁ ଜାହାଜ ଯୋଗେ କୁଏତ ଯିବ । ଏପରି ଭାବେ ୨୦ ଜୁଲାଇ ସୁଦ୍ଧା ୧୯୨ ମାଟ୍ରିକ ଟନ ଗୋବର କୁଏତ ପଠାଇବ ଭାରତ ।
ଭାରତୀୟ ଅର୍ଥନୀତିରେ କୃଷିକ୍ଷେତ୍ରର ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିଛି । ଭାରତ ବିଦେଶକୁ ମାଂସ, ଦୁଗ୍ଧ, ଦୁଗ୍ଧ ଜାତୀୟ ଉତ୍ପାଦ, ମହୁ, ପଶୁ ଚାରା ଇତ୍ୟାଦି ପଶୁଜାତ ଦ୍ରବ୍ୟ ରପ୍ତାନୀ କରିଥାଏ । ଏକ ରିପୋର୍ଟ ଅନୁଯାୟୀ, 2020-21 ବର୍ଷରେ ପଶୁଜାତ ଦ୍ରବ୍ୟ ରପ୍ତାନୀରୁ ଭାରତ 27,155.56 କୋଟି ଅର୍ଥାତ୍ 3,67024 ମିଲିୟନ ଡଲାର ଆୟ କରିଛି । ବର୍ତ୍ତମାନ ଦେଶୀ ଗାଈ ଗୋବର ଏବଂ ଗୋମୁତ୍ର ମଧ୍ୟ ରପ୍ତାନୀରେ ଯୋଡି ହୋଇଛି । ଗାଈ ଗୋବର ଉପରେ ଅନେକ ଦେଶର ରିସର୍ଚ୍ଚରୁ ଜଣାପଡିଛି ଯେ, ଗୋବର କେବଳ ଫସଲ ଉତ୍ପାଦନ ବୃଦ୍ଧି କରେ ନାହିଁ ବରଂ ଏଥିରୁ ସୃଷ୍ଟି ଉତ୍ପାଦର ବ୍ୟବହାର ମାନବ ଜୀବନକୁ ନାନା ଗମ୍ଭୀର ରୋଗରୁ ଭଲ କରିଥାଏ । ଏଥିଯୋଗୁଁ ଅଧିକାଂଶ ଦେଶ ଜୈବିକ ଖତ ଓ ଗୋବର ଭାରତରୁ ଆମଦାନୀ କରୁଛନ୍ତି ।
କୁଏତର ଜଣେ କୃଷି ବୈଜ୍ଞାନିକ ଗୋବର ଉପରେ ରିସର୍ଚ୍ଚ କରିଥିଲେ । ରିସର୍ଚ୍ଚରୁ ଫସଲ ପାଇଁ ଗାଈ ଗୋବର ଖୁବ୍ ଉପଯୋଗୀ ସାବ୍ୟସ୍ତ ହୋଇଛି । ଚାଷ କାର୍ଯ୍ୟରେ ଗୋବର ବ୍ୟବହାର ଦ୍ବାରା କୀଟନାଶକ ପ୍ରୟୋଗ ଦୂର କରାଯାଇ ପାରିବ । ଏହାବ୍ୟତୀତ ଖଜୁରୀ ଚାଷରେ ଗୋବରକୁ ପାଉଡର ରୂପେ ବ୍ୟବହାର ଦ୍ବାରା ଫଳର ଆକାର ବୃଦ୍ଧି ସହ ଅଶାନୂରୁପ ଉତ୍ପାଦନ ବଢୁଥିବା ଜଣାପଡିଛି । ସନରାଇଜ ଅର୍ଗାନିକ ପାର୍କର ଡା. ଅତୁଳ ଗୁପ୍ତା କହିଛନ୍ତି ଯେ, ଭାରତରେ ଗାଈଙ୍କ ସଂଖ୍ୟା ପ୍ରାୟ ୩୦ କୋଟି । ସେମାନଙ୍କୁ ଠାରୁ ଦୈନିକ ୩୦ ଲକ୍ଷ ଟନ ଗୋବର ମିଳିଥାଏ । ତନ୍ମଧ୍ୟରୁ ୩୦ ପ୍ରତିଶତ ଘଷି ରୂପେ ବ୍ୟବହୃତ ହୁଏ । ବ୍ରିଟେନରେ ଗୋବର ଗ୍ୟାସରୁ ବାର୍ଷିକ ୧୬ ଲକ୍ଷ ୟୁନିଟ ବିଜୁଳ ଉତ୍ପାଦନ ହୁଏ ।