କୋଭିଡ-19 ଟୀକାକରଣ ପରେ ସଂକ୍ରମଣ ହାର 30 ପ୍ରତିଶତ ହ୍ରାସ ପାଇଛି ବୋଲି ବ୍ରିଟେନର ଏକ ଅଧ୍ୟୟନରୁ ଜଣାପଡିଛି । ଅଧ୍ୟୟନ ଅନୁଯାୟୀ ସ୍କଟଲାଣ୍ଡର ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ଅନେକାଂଶ ପ୍ରଥମ ଡୋଜ୍ ଟିକା ନେବା ପରେ ସେମାନଙ୍କ ମଧ୍ୟରେ କୋଭିଡ-19 ସଂକ୍ରମଣ ହାର ଅନ୍ୟୁନ 30 ପ୍ରତିଶତ କମି ଯାଇଛି। ଯେହେତୁ ସ୍ବାସ୍ଥ୍ୟକର୍ମୀଙ୍କ ପରିବାର ସଦସ୍ୟ ଅନ୍ୟ ଲୋକଙ୍କ ଜରିଆରେ ବି ସଂକ୍ରମିତ ହୋଇପାରନ୍ତି, ସେମାନଙ୍କୁ ଟିକାଦାନ ପରେ 30 ପ୍ରତିଶତ ସଂକ୍ରମଣ କମିବା ପ୍ରକୃତ ବାସ୍ତବତା ନୁହେଁ ବୋଲି ସ୍କଟଲାଣ୍ଡ ଜନସ୍ବାସ୍ଥ୍ୟ ବିଭାଗ ଏବଂ ଗ୍ଲାସଗୋ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି । 2020 ଡିସେମ୍ବର 8 ଏବଂ 2021 ମାର୍ଚ୍ଚ 3 ତାରିଖ ମଧ୍ୟରେ ହୋଇଥିବା ଏହି ଗବେଷଣାରେ 30 ହଜାର ଜାତୀୟ ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କୁ ସାମିଲ କରାଯାଇଥିଲା। ଉଭୟ ଟିକା ନେଇଥିବା ଓ ନେଇନଥିବା କର୍ମଚାରୀ ଏଥିରେ ସାମିଲ ହୋଇଥିଲେ।
ଇତିମଧ୍ୟରେ ଯେଉଁଠି ସ୍ବାସ୍ଥ୍ୟକର୍ମୀମାନେ ଅତି କମରେ 14 ଦିନ ପୂର୍ବରୁ ଟିକାର ଦ୍ବିତୀୟ ଡୋଜ୍ ନେଇଥିଲେ ସେମାନଙ୍କ ପରିବାର ସଦସ୍ୟଙ୍କ କୋଭିଡ-19 ହାର ଟୀକାକରଣ ହୋଇନଥିବା ସ୍ବାସ୍ଥ୍ୟକର୍ମୀଙ୍କ ପରିବାର ସଦସ୍ୟଙ୍କ ତୁଳନାରେ ଅତି କମରେ 54 ପ୍ରତିଶତ କମ୍ ବୋଲି ଶୁକ୍ରବାର ଦିନ ପ୍ରକାଶିତ ଅଧ୍ୟୟନ ରିପୋର୍ଟରୁ ଜଣାଯାଇଛି । କୋରୋନା ଟିକା ନେଇଥିବା ଅନେକ ଲୋକ ବିଭିନ୍ନ କାମରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ନିୟମିତ ଯାତ୍ରା କରୁଥିବା କାରଣରୁ ଭ୍ୟାକ୍ସିନ ପାସପୋର୍ଟ ବ୍ୟବସ୍ଥା ସୃଷ୍ଟି କରିବା ସମ୍ଭାବନା ସମ୍ପର୍କରେ ୟୁରୋପୀୟ ସଂଘର ରାଷ୍ଟ୍ରଗୁଡ଼ିକ ସହିତ ବ୍ରିଟେନ ସରକାର ଆଲୋଚନା କରିବା ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଏପରି ଏକ ଅଧ୍ୟୟନ ରିପୋର୍ଟ ଆସିଛି ।