ନୂଆଦିଲ୍ଲୀ: ଦେଶରେ ଆସନ୍ତା ଜାନୁଆରୀ 16 ତାରିଖରୁ କୋଭିଡ-19ର ଟୀକାକରଣ ଆରମ୍ଭ ହେବାକୁ ଯାଉଥିବା ବେଳେ ବୃତ୍ତି ହରାଇ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଗରିବ ଶ୍ରେଣୀର ଲୋକଙ୍କୁ ପ୍ରଥମେ ଟିକା ଦିଆଯିବା ଉଚିତ । ଯାହାଦ୍ବାରା ସେମାନେ ନିଜର ଜୀବନ ଜୀବିକାରେ ଆଗକୁ ବଢି ପାରିବେ ବୋଲି ଜାତୀୟ ରାଜନୈତିକ ଦଳ ବହୁଜନ ସମାଜ ପାର୍ଟି(ବିଏସପି) ପକ୍ଷରୁ ରବିବାର ଦାବି ହୋଇଥିବା ମୁଖପାତ୍ର ସୁଧିନ୍ଦ୍ର ଭଦୋରିଆ କହିଛନ୍ତି ।
ଏକ ଗଣମାଧ୍ୟମ ସଂସ୍ଥାକୁ ଭଦୋରିଆ ସୂଚନା ଦେଇ କହିଛନ୍ତି ଯେ ଦଳର ସୁପ୍ରିମୋ ମାୟାବତୀ ଏହି ଦାବି କରିଛନ୍ତି । କୋରୋନା ମହାମାରୀ ପାଇଁ 2020 ମସିହା ପୂରା ବର୍ଷ ଦାରିଦ୍ର୍ୟ ସୀମାରେଖାର ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବା ସହିତ ନିରୀହ ଲୋକ ମୃତ୍ୟୁବରଣ ମଧ୍ୟ କରିଛନ୍ତି । ମହାମାରୀ ସମୟରେ ଗରିବ ଲୋକଙ୍କ ନିକଟରେ ଅର୍ଥ ଉପାର୍ଜନର କୌଣସି ଉତ୍ସ ନ ଥିବାରୁ ସେମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ମାଗଣାରେ ଟିକା ଦିଆଯିବା ଲାଗି ମାୟାବତୀ ଦାବି କରିଥିବା ଭଦୋରିଆ କହିଛନ୍ତି ।