ହାଇଦ୍ରାବାଦ/ଲକ୍ଷ୍ନୌ: ଭାରତର ସର୍ବାଧିକ ଜନବହୁଳ ରାଜ୍ୟ ଉତ୍ତର ପ୍ରଦେଶର ଗ୍ରାମାଞ୍ଚଳରେ କୋଭିଡ-19 ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଘରକୁ ଘର ବୁଲି କୋରୋନା ପରୀକ୍ଷା,ଚିକିତ୍ସା ଏବଂ କଣ୍ଟ୍ରାକ୍ଟ ଟ୍ରେସିଂ ପାଇଁ ପାଞ୍ଚ ଦିନିଆ ଏକ ଅଭିଯାନ କରାଯାଇଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ଇଣ୍ଡିଆ କାର୍ଯ୍ୟାଳୟ ପକ୍ଷରୁ ନିକଟରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ତେବେ ଇଟିଭି ଭାରତର ସମ୍ବାଦଦାତାଙ୍କ ପକ୍ଷରୁ ସଂଗ୍ରହ ହୋଇଥିବା ଗ୍ରାଉଣ୍ଡ ଜିରୋ ରିପୋର୍ଟ ଏବଂ କୋଭିଡ ଟେଷ୍ଟିଂ ଡାଟାର ସମୀକ୍ଷା କରିବା ପରେ ଏହା ସମ୍ପୂର୍ଣ୍ଣ ଭିନ୍ନ ଚିତ୍ର ବୟାନ କରୁଛି । ସନ୍ଦିଗ୍ଧ କୋଭିଡ୍ ରୋଗୀଙ୍କ ମୃତଦେହ ଉତ୍ତର ପ୍ରଦେଶ ଗାଜିପୁର ଜିଲ୍ଲାରେ ଗଙ୍ଗା ନଦୀକୂଳରେ ଭାସୁଥିବା ଖବର ପ୍ରସାରଣ ପରେ ରାଜ୍ୟର ସ୍ଥିତିକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।
‘ହୁ’ ଇଣ୍ଡିଆ ସହଯୋଗରେ ପାଞ୍ଚ ଦିନିଆ ଟେଷ୍ଟିଂ ଅଭିଯାନରେ 75ଟି ଜିଲ୍ଲାର 97 ହଜାର 941ଟି ଗାଁ ସାମିଲ ହୋଇଥିଲା । ହେଲେ https://www.covid19india.org/ରେ ଉପଲବଧ ଟେଷ୍ଟିଂ ଡାଟା ଏବଂ ଇଟିଭି ଭାରତ ସାମ୍ବାଦିକଙ୍କ ଦ୍ବାରା ସମ୍ପୃକ୍ତ ଗ୍ରାମ ଗସ୍ତ ଏବଂ ଗ୍ରାମବାସୀ, ସ୍ବାସ୍ଥ୍ୟ କର୍ମୀଙ୍କ ସହ ଆଲୋଚନା ବେଳେ କୋରୋନା ଟେଷ୍ଟିଂ ନେଇ ସେଭଳି କୌଣସି ଉନ୍ନତି ହୋଇଥିବା ଲକ୍ଷ୍ୟ କରାଯାଇନାହିଁ ।
‘ହୁ’ ଇଣ୍ଡିଆ ପ୍ରକାଶିତ ରିପୋର୍ଟର ଶୀର୍ଷକ ଥିଲା,‘କୋଭିଡ-19 ବନ୍ଦ କରିବାକୁ ଉତ୍ତର ପ୍ରଦେଶର ଆପ୍ରାଣ ଉଦ୍ୟମ’ । ଏଥିରେ କୁହାଯାଇଥିଲା ଯେ, ରାଜ୍ୟ ସରକାର ସମସ୍ତ ଗ୍ରାମାଞ୍ଚଳରେ କିପରି ଏହି କାର୍ଯ୍ୟକ୍ରମ କରିପାରିବେ ସେଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର 21 ହଜାର 242 ଜଣ ସୁପରଭାଇଜର ଏବଂ 1 ଲକ୍ଷ 41 ହଜାର 610ଟି ଟିମ୍ ନିୟୋଜିତ କରିଥିଲେ ।
ଏଥିପାଇଁ ଆବଶ୍ୟକ ମାଇକ୍ରୋ ପ୍ଲାନିଂ ଏବଂ ସରକାରୀ କର୍ମଚାରୀଙ୍କୁ ତାଲିମ ଦେବାରେ ‘ହୁ’ ସହଯୋଗ କରିଥିଲା । ଗ୍ରାମାଞ୍ଚଳର ସ୍ଥିତି, ଠିକଣା ସମୟରେ ସରକାରଙ୍କୁ ପହଞ୍ଚାଇବା ପାଇଁ ଏବେ ସବୁଠି କ୍ଷେତ୍ର ଅଧିକାରୀମାନେ ମୁତୟନ ହୋଇଛନ୍ତି ଏବଂ ସେମାନଙ୍କଠାରୁ ଖବର ପାଇ ରାଜ୍ୟ ସରକାର କୋରୋନା ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମେ 7 ତାରିଖ ଦିନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ୱେବସାଇଟରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ।
ଜାତିସଂଘର ଏହି ସଂସ୍ଥା କହିଛି: “କାର୍ଯ୍ୟକ୍ରମ ଉଦଘାଟନୀ ଦିବସରେ ‘ହୁ’ର କ୍ଷେତ୍ର ଅଧିକାରୀମାନେ 2 ହଜାରରୁ ଅଧିକ ସରକାରୀ ଟିମର କାର୍ଯ୍ୟ ତଦାରଖ କରିବା ସହିତ ଅନ୍ୟୁନ 10 ହଜାର ଘରେ ପହଞ୍ଚିଥିଲେ । ହେଲେ https://www.covid19india.org/state/UP ରେ ଉପଲବ୍ଧ ଡାଟା ଅନୁଯାୟୀ ମେ 5 ତାରିଖରେ ଆରମ୍ଭ ହୋଇଥିବା ପାଞ୍ଚ ଦିନିଆ ଅଭିଯାନ କାଳରେ ଟେଷ୍ଟିଂ ଓ କଣ୍ଟ୍ରାକ୍ଟ ଟ୍ରେସିଂ କ୍ଷେତ୍ରରେ ସେଭଳି ଅଗ୍ରଗତି ଘଟିଥିବା ଲକ୍ଷ୍ୟ କରାଯାଇନାହିଁ । ବାସ୍ତବରେ, ହୁ ସହଯୋଗରେ ଚାଲିଥିବା ପାଞ୍ଚ ଦିନିଆ ଅଭିଯାନ ତୁଳନାରେ ମେ ମାସ ଆରମ୍ଭରେ ଉତ୍ତର ପ୍ରଦେଶରେ ଦୈନିକ କୋଭିଡ ଟେଷ୍ଟିଂ ଅଧିକ ରହିଥିଲା । କୋଭିଡ-19 ଇଣ୍ଡିଆ ୱେବସାଇଟ୍ ଅନୁଯାୟୀ ଉତ୍ତର ପ୍ରଦେଶରେ ମେ 1ରେ 2,66,619 ଏବଂ ମେ 2ରେ 2,97,385 ଟେଷ୍ଟ ହୋଇଥିଲା । ମେ 3ରେ ଏହା 2,29,613କୁ ଏବଂ ମେ 4ରେ 2,08,564କୁ ଖସି ଆସିଥିଲା।
ଯଦି ସ୍ବତନ୍ତ୍ର ଅଭିଯାନରେ ନିୟୋଜିତ 1 ଲକ୍ଷ 41 ହଜାର 610 ଟିମ୍ ଦୈନିକ ମାତ୍ର ଦୁଇଟି ଲେଖାଏଁ ଟେଷ୍ଟ କରିଥାନ୍ତେ ତେବେ କୋଭିଡ ଟେଷ୍ଟ ସଂଖ୍ୟା ଏହି ପାଞ୍ଚ ଦିନିଆ କାର୍ଯ୍ୟକ୍ରମରେ ଦୈନିକ 2,83,220କୁ ବଢି ପାରିଥାନ୍ତା । ଦିନକୁ ହେଉଥିବା ପାଖାପାଖି 2,30,000 ଟେଷ୍ଟ ସଂଖ୍ୟା ବୃଦ୍ଧି ପାଇ 5,10,000ରୁ ଅଧିକ ହୋଇ ପାରିଥାନ୍ତା । ହେଲେ ୱେବସାଇଟରେ ଉପଲବ୍ଧ ତଥ୍ୟ ମୁତାବକ, ଉତ୍ତର ପ୍ରଦେଶରେ ମେ 5ରେ ସ୍ବତନ୍ତ୍ର ଅଭିଯାନର ଉଦଘାଟନୀ ଦିନରେ 2,32,038ଟି ଟେଷ୍ଟ ହୋଇଥିଲା । ଏହା ପରବର୍ତ୍ତୀ ଚାରି ଦିନରେ ରାଜ୍ୟରେ ମେ 6ରେ 2,26,112 ଟେଷ୍ଟ, ମେ 7ରେ 2,24,529 ଟେଷ୍ଟ ଏବଂ ମେ 9ରେ 2,29,595 ଟେଷ୍ଟ ହୋଇଥିଲା ।
ମେ 5ରୁ ମେ 9 ତାରିଖ ମଧ୍ୟରେ ଉତ୍ତର ପ୍ରଦେଶରେ ହାରାହାରୀ ଦୈନିକ 2,30,000ରୁ ସାମାନ୍ୟ ଅଧିକ ହାରରେ ମୋଟ 11,52,000 ଟେଷ୍ଟ କରାଯାଇଥିଲା । ଅଥଚ ଗ୍ରାମାଞ୍ଚଳରେ କୋଭିଡ୍ ଟେଷ୍ଟିଂ ଆରମ୍ଭ ହେବା ପୂର୍ବରୁ ମାସର ପ୍ରଥମ ଦୁଇ ଦିନରେ ଉତ୍ତର ପ୍ରଦେଶରେ ଦିନକୁ 2,82,000ରୁ ଅଧିକ ଟେଷ୍ଟ ହେଉଥିଲା ।
ହୁ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, “ ପ୍ରତ୍ୟେକ ମନିଟରିଂ ଟିମରେ ଦୁଇ ଜଣ ଲେଖାଏଁ ସଦସ୍ୟ ରହୁଥିଲେ । ସେମାନେ ଗାଁରେ ଘର ଘର ବୁଲି ଏବଂ ଦୁର୍ଗମ ଅଞ୍ଚଳରେ ଥିବା ବସ୍ତିରେ ପହଞ୍ଚି ରାପିଡ୍ ଆଣ୍ଟିଜେନ ଟେଷ୍ଟ (ଆରଏଟି) କିଟ୍ ବ୍ୟବହାର କରି କୋଭିଡ-19 ଲକ୍ଷଣ ସହିତ ପ୍ରତ୍ୟେକଙ୍କର ଟେଷ୍ଟ୍ କରୁଥିଲେ । ଯେଉଁମାନଙ୍କ ରିପୋର୍ଟ ପଜିଟିଭ ଆସୁଥିଲା ସେମାନଙ୍କୁ ତୁରନ୍ତ ପୃଥକବାସରେ ନେଇ ଏକ ମେଡିସିନ କିଟ୍ ଦେବା ସହ ରୋଗକୁ କିପରି ପ୍ରତିକାର କରାଯିବ ତାହୁ ପରାମର୍ଶ ଦେଉଥିଲେ । ପଜିଟିଭ ଚିହ୍ନଟ ରୋଗୀଙ୍କୁ ଏକ ରାପିଡ ରେସପନ୍ସ ଟିମ୍ ଦ୍ବାରା ଆରଟି-ପିସିଆର ଟେଷ୍ଟ କରାଯାଇ କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଯାଉଥିଲା ।”
ଇଟିଭି ଭାରତ’ର ଗ୍ରାଉଣ୍ଡ ରିପୋର୍ଟ
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ରିପୋର୍ଟ ପ୍ରକାଶ ପାଇବା ପରେ ପରେ ଇଟିଭି ଭାରତ’ର ରିପୋର୍ଟରମାନେ ଉତ୍ତର ପ୍ରଦେଶରେ ବାସ୍ତବ ସ୍ଥିତିର ଖବର ସଂଗ୍ରହ ପାଇଁ ବିଭିନ୍ନ ଗ୍ରାମର ଗ୍ରାମବାସୀ, ଗାଁ ମୁଖିଆ, ସ୍ବାସ୍ଥ୍ୟ କର୍ମୀ ଏବଂ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟକରେ ପହଞ୍ଚିଥିଲେ । ହୁ’ ରିପୋର୍ଟରେ ତା’ର ଟିମ୍ ବାରାବାଙ୍କି ଜିଲ୍ଲାରେ ସିପାହିଆ ଗାଁରେ ବୁଲୁଥିବାର ଏକ ଫଟୋଚିତ୍ର ପ୍ରକାଶ ପାଇଥିଲା । ଇଟିଭି ଭାରତ ରିପୋର୍ଟର ଅନ୍ୟ ସବୁ ଜିଲ୍ଲା ବୁଲିବା ବାଦ୍ ବାରାବାଙ୍କିର ସିପାହିୟା ଗାଁକୁ ମଧ୍ୟ ଯାଇଥିଲେ ।
ବାରାବାଙ୍କିରେ ମଧ୍ୟ ସ୍ଥାନୀୟ ଲୋକଙ୍କଠାରୁ ଜାଣିବାକୁ ମିଳିଥିଲା ଯେ ହୁ’ର ଏକ ଟିମ୍ ଏବଂ ସ୍ବାସ୍ଥ୍ୟ କର୍ମୀ ସିପାହିଆ ଗାଁ ବୁଲିଥିଲେ । ଏହି ଗସ୍ତ ଘରକୁ ଘର ବୁଲି ଟେଷ୍ଟିଂ ପ୍ରକ୍ରିୟା ନଥିଲା ବରଂ ଏକ ସଚେତନତା ଅଭିଯାନ ଥିଲା ।
ଜଣେ ସ୍ଥାନୀୟ ଅଧିବାସୀ ସୁମେରୀ ଲାଲ କହନ୍ତି-“ ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ) ଏବଂ ଜିଲ୍ଲାପାଳଙ୍କୁ ନେଇ ଏକ ଟିମ୍ ଗାଁକୁ ଆସିଥିଲେ ଏବଂ କେହି ଜ୍ବର, କାଶ କିମ୍ବା ଥଣ୍ଡାରେ ପୀଡ଼ିତ କି ନାହିଁ ତାହା ଲୋକଙ୍କୁ ପଚାରି ବୁଝିଥିଲେ । ସେମାନେ କିଛି ଘରକୁ ଯାଇଥିଲେ କିନ୍ତୁ କୌଣସି ପରୀକ୍ଷା କରାଯାଇନଥିଲା।"