ଚଣ୍ଡିଗଡ:କୋଭିଡ ମହାମାରୀ ସାରା ବିଶ୍ବରେ ଆତଙ୍କ ଖେଳାଇଥିଲା । ମହାମାରୀ ସମୟରେ ଲୋକେ ଘରୁ ବାହାରକୁ ପାଦ କାଢିବାକୁ ଡରୁଥିଲେ । କୋରୋନାକୁ ନେଇ ସମସ୍ତେ କେତେ ଯେ ଆତଙ୍କିତ ଥିଲେ ତାହାର ଏକ ତାଜୁବ କଲାଭଳି ଚିତ୍ର ସାମ୍ନାକୁ ଆସିଛି ହରିୟାଣାର ଗୁରୁଗ୍ରାମରୁ । ଏଠାରେ ଜଣେ ମହିଳା କୋରୋନା ଭୟରେ ଦୀର୍ଘ ତିନି ବର୍ଷ ହେଲା ୧୧ ବର୍ଷୀୟ ପୁଅ ସହ ନିଜକୁ ଘରେ ବନ୍ଦୀ କରି ରଖିଥିଲେ । ନା ନିଜେ ବାହାରକୁ ବାହାରୁଥିଲେ ନା ପୁଅକୁ ଛାଡୁଥିଲେ । ଏପରିକି ବାହାରେ ଚାକିରି କରୁଥିବା ସ୍ବାମୀଙ୍କୁ ମଧ୍ୟ ଘରେ ଭିତରେ ପଶିବାକୁ ଦେଇନଥିଲେ ଏବଂ ଅନ୍ୟତ୍ର ଭଡାରେ ରହିବାକୁ ବାଧ୍ୟ କରିଥିଲେ । ସଂକ୍ରମଣ ଭୟରେ ୩ ବର୍ଷ ଧରି ମାଆ ପୁଅ ଗୋଟିଏ ଫ୍ଲାଟରେ ବନ୍ଦ ହୋଇରହିଥିଲେ । ଏନେଇ ସୂଚନା ପାଇ ଗତକାଲି(ବୁଧବାର) ପୋଲିସ ସେଠାରେ ପହଞ୍ଚି ମହିଳା ଓ ତାଙ୍କ ପୁଅକୁ ଉଦ୍ଧାର କରିଛି ।
ସୂଚନା ମୁତାବକ, ଏହି ଘଟଣା ଗୁରୁଗ୍ରାମ ଅନ୍ତର୍ଗତ ଚକ୍କରପୁର ଅଞ୍ଚଳର ଅଟେ । ଚକ୍କରପୁର ନିବାସୀ ମହିଳାଙ୍କ ସ୍ବାମୀ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା । ବ୍ୟକ୍ତି ଜଣକ ପୋଲିସକୁ କହିଥିଲେ ଯେ, ତାଙ୍କ ପତ୍ନୀ କୋଭିଡ ସଂକ୍ରମଣରୁ ବର୍ତ୍ତିବା ପାଇଁ ୧୧ ବର୍ଷୀୟ ପୁଅ ସହ ଘରେ ୩ ବର୍ଷ ହେଲା ବନ୍ଦ ହୋଇରହିଛନ୍ତି । ପୁଅକୁ ପଦାକୁ ଛାଡୁନାହାନ୍ତି କି ନିଜେ ବାହାରକୁ ବାହାରୁନାହାନ୍ତି । ସେ ବାହାରେ ଚାକିରି କରୁଥିବାରୁ ତାଙ୍କୁ ମଧ୍ୟ ଘରେ ପଶିବାକୁ ଦେଉନାହାନ୍ତି । ଚାକିରି କରୁଥିବାରୁ ପତ୍ନୀ ତାଙ୍କୁ ଅନ୍ୟ ଏକ ଫ୍ଲାଟ ନେଇ ରହିବାକୁ କହିଥିଲେ । ଫଳରେ ବାଧ୍ୟ ହୋଇ ସ୍ବାମୀ ୩ ବର୍ଷ ହେଲା ଅନ୍ୟତ୍ର ଭଡାଘରେ ରହିଆସୁଥିଲେ । ସେ ରୋଷେଇ ପାଇଁ ଆବଶ୍ୟକ ହେଉଥିବା ପନିପରିବା ଓ ଅନ୍ୟାନ୍ୟ ଗ୍ରୋସରୀ ସାମଗ୍ରୀ କିଣି ଘର ଦୁଆରେ ମହିଳାଙ୍କୁ ଦେଇଆସୁଥିଲେ ।