ନୂଆଦିଲ୍ଲୀ: ଭାରତରେ କୋରୋନା ଭୂତାଣୁକୁ ପରାସ୍ତ କରିବାକୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି। ଦେଶର ସବୁଠାରୁ ବଡ ଟୀକାକରଣ ଅଭିଯାନ ଜାନୁୟାରୀ 16 ରୁ ଆରମ୍ଭ ହେଉଛି ଏବଂ ସରକାରଙ୍କ ସମସ୍ତ ବିଭାଗ ଏଥିପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି। ଟୀକାକରଣ ଅଭିଯାନକୁ ସମଗ୍ର ଦେଶରେ ସଫଳ କରିବାରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଜଣେ ନେତାଙ୍କ ଭୂମିକା ଗ୍ରହଣ କରିବ, କିନ୍ତୁ ଏହାର ସୁଗମ କାର୍ଯ୍ୟ ପାଇଁ ଅତି କମରେ 23 ଟି ବିଭାଗକୁ ଏଥିରେ ନିଯୁକ୍ତି ଦିଆଯାଇଛି। କୋରୋନା ବିରୋଧ ଯୁଦ୍ଧରେ ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବେ ଏବଂ ଦେଶକୁ କୋରୋନାରୁ ମୁକ୍ତ କରିବେ। ତେବେ ଆସନ୍ତୁ ଜାଣିବା ଏହି ଟୀକାକରଣ ଅଭିଯାନରେ ଏହି ବିଭାଗ କି ପ୍ରକାର ଭୂମିକା ଗ୍ରହଣ କରିବ |
ଭାରତର କୋଭିଡ୍-୧୯ ଟିକାକରଣ ଅଭିଯାନରେ ଭାଗ ନେବେ ୨୩ ସରକାରୀ ବିଭାଗ - ଟିକାକରଣ ଅଭିଯାନରେ ଭାଗ ନେବେ ୨୩ଟି ସରକାରୀ ବିଭାଗ
ଭାରତରେ କୋରୋନା ଭୂତାଣୁକୁ ପରାସ୍ତ କରିବାକୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି। ଦେଶର ସବୁଠାରୁ ବଡ ଟୀକାକରଣ ଅଭିଯାନ ଜାନୁୟାରୀ 16 ରୁ ଆରମ୍ଭ ହେଉଛି ଏବଂ ସରକାରଙ୍କ ସମସ୍ତ ବିଭାଗ ଏଥିପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି। ଅଧିକ ପଢନ୍ତୁ...
ମହିଳା ଓ ଶିଶୁ ବିକାଶ ବିଭାଗ ଟିକାକରଣ ପାଇଁ କର୍ମଚାରୀ ଯୋଗାଇ ଦେବ। ପଞ୍ଚାୟତରାଜ ବିଭାଗ ଟିକାକରଣ ସ୍ଥାନ ଚିହ୍ନଟ ଓ ବ୍ୟବସ୍ଥା କରିବା ସହ ପଞ୍ଚାୟତ ଅଧୀନରେ ଥିବା ସ୍ବାସ୍ଥ୍ୟ ସେବା କର୍ମୀଙ୍କର ପଞ୍ଜିକରଣ କରାଇବାରେ ସହଯୋଗ କରିବ। ଗ୍ରାମୀଣ ବିକାଶ ବିଭାଗ ଏହି ଅଭିଯାନରେ ସ୍ବୟଂସହାୟକ ଗୋଷ୍ଠୀଙ୍କୁ ନିୟୋଜିତ କରିବ। ସେହିଭଳି ଶିକ୍ଷା ବିଭାଗ ଟିକାକରଣ ଅଧିବେଶନ ପରିଚାଳନା କରିବା ସହ ଆବଶ୍ୟକ ହେଲେ କର୍ମଚାରୀ ଯୋଗାଇ ଦେବ। ଆୟୁଷ ବିଭାଗ ମଧ୍ୟ ତା’ ଅଧୀନରେ ଥିବା ସ୍ବାସ୍ଥ୍ୟସେବା କର୍ମୀଙ୍କୁ ଚିହ୍ନଟ କରାଇବା ସହ ଭ୍ୟାକ୍ସିନ ଯୋଗାଇ ଦେବ। ନଗରାଞ୍ଚଳ ବିକାଶ ବିଭାଗ ସ୍ବାସ୍ଥ୍ୟସେବା କର୍ମୀ ଏବଂ ମହାନଗର ନିଗମ ଓ ପୌରାଞ୍ଚଳରେ କାର୍ଯ୍ୟରତ ପ୍ରତ୍ୟକ୍ଷ ସ୍ବାସ୍ଥ୍ୟସେବାକାରୀଙ୍କୁ ପଞ୍ଜିକୃତ କରିବ। ସେମାନଙ୍କ କର୍ମଚାରୀମାନେ ମଧ୍ୟ ଭ୍ୟାକ୍ସିନ ଅଫିସର ଭାବେ କାମ କରିବେ। କ୍ରୀଡ଼ା ଓ ଯୁବ ବିଭାଗ ଟିକାକରଣ ସ୍ଥାନରେ ଲୋକମାନଙ୍କୁ ନିୟନ୍ତ୍ରଣ କରିବାକୁ NYKS ଏବଂ NSS କ୍ୟାଡେଟ୍ ଯୋଗାଇ ଦେବ। ଏହାଛଡ଼ା ରାଜ୍ୟ ପୁଲିସ ବିଭାଗ ମଧ୍ୟ ନିଜ ବିଭାଗରୁ ଟିକା ନେବାକୁ ଥିବା ହିତାଧିକାରୀଙ୍କୁ ଚିହ୍ନଟ କରିବା ସହ ଦୁର୍ଗମ ଏବଂ ଉଗ୍ର ବାମପନ୍ଥୀ ଅଧ୍ୟୁଷିତ ଅଞ୍ଚଳରେ ଟିକା ପହଞ୍ଚାଇବାରେ ସହାୟକ ହେବ ଏବଂ ଟିକା ଷ୍ଟୋରେଜ୍, ପରିବହନ ଏବଂ ଟିକାକରଣ ସ୍ଥାନରେ ସୁରକ୍ଷା ପ୍ରଦାନ କରିବ।
ରାଜସ୍ବ, ପୂର୍ତ୍ତ ବିଭାଗ ଓ ଜନସ୍ବାସ୍ଥ୍ୟ ଇଞ୍ଜିନିୟରିଙ୍ଗ ବିଭାଗ ଟିକାକରଣ ଅଧିବେଶନ ପାଇଁ ସ୍ଥାନ ଚିହ୍ନଟ କରାଇବ। ପ୍ରତିରକ୍ଷା ବିଭାଗ ସଶସ୍ତ୍ରବାହିନୀରେ ଟିକା ନେବାକୁ ଥିବା ହିତାଧିକାରୀଙ୍କ ପଞ୍ଜିକରଣରେ ସହାୟକ ହେବ ଓ ନିରାପତ୍ତା-ସ୍ପର୍ଶକାତର ଅଞ୍ଚଳକୁ ଟିକା ନେବାରେ ସାହାଯ୍ୟ କରିବ। ଏହା ବ୍ୟତିରେକେ, ଖାଦ୍ୟ ଓ ଯୋଗାଣ ବିଭାଗ ଟିକାକରଣ ସ୍ଥାନରେ ‘କୋଲ୍ଡ୍ ଷ୍ଟୋରେଜ୍’ ଏବଂ ବାୟୋମେଟ୍ରିକ ଅଥେଣ୍ଟିକେସନ ସୁବିଧା ଯୋଗାଇ ଦେବ। ଜନକଲ୍ୟାଣ, ସଂଖ୍ୟାଲଘୁ ବ୍ୟାପାର ଏବଂ ଜନଜାତି ବ୍ୟାପାର ବିଭାଗରେ ଥିବା ପ୍ରତିଷ୍ଠାନମାନଙ୍କରେ ଟିକାଦାନ କେନ୍ଦ୍ର ଖୋଲାଯିବ। ପଶୁପାଳନ ବିଭାଗ ମଧ୍ୟ ଆବଶ୍ୟକ କ୍ଷେତ୍ରରେ କୋଲ୍ଡ୍ ଷ୍ଟୋରେଜ ସୁବିଧା ଯୋଗାଇ ଦେବ। ରେଳବାଇ ମଧ୍ୟ ତା’ ହସ୍ପିଟାଲରେ ଥିବା ସ୍ବାସ୍ଥ୍ୟସେବା କର୍ମୀଙ୍କୁ ଚିହ୍ନଟ କରିବ ଓ ରେଳବାଇ ହସ୍ପିଟାଲ୍ରେ ଟିକାକରଣ କରାଇବ। ଶ୍ରମ ଓ ନିୟୋଜନ ବିଭାଗ ଇଏସ୍ଆଇ ହସ୍ପିଟାଲରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଚିହ୍ନଟ କରିବା ସହ ସେହିସବୁ ଡାକ୍ତରଖାନାରେ ଟିକାଦାନ କେନ୍ଦ୍ର ଖୋଲିବ। ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମଧ୍ୟ ହିତାଧିକାରୀଙ୍କୁ ପଞ୍ଜିକୃତ କରିବା ସହ ହତାଧିକାରୀ ପ୍ରମାଣପତ୍ର ଛାପିବା ଦାୟିତ୍ବରେ ରହିବ। ସେହିଭଳି ରାଜ୍ୟ ‘ଏଡସ୍ କଣ୍ଟ୍ରୋଲ ସୋସାଇଟି’ର କାଉନସେଲରମାନେ ଟିକା ସଂକ୍ରାନ୍ତରେ ଲୋକମାନଙ୍କ ମନରେ ଥିବା ଦ୍ବିଧା ଓ ଆଶଙ୍କା ଦୂର କରିବା ଲାଗି ପରାମର୍ଶ ଦେବେ। ବିଜୁଳି ବିଭାଗ ଟିକା ଷ୍ଟୋରେଜ ଥିବା ସ୍ଥାନ ଏବଂ ଟିକାକରଣ କେନ୍ଦ୍ରରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ।