ନୂଆଦିଲ୍ଲୀ:ଦେଶରେ ବର୍ତ୍ତମାନ ଦେଖାଯାଇଥିବା ମହାମାରୀ ସ୍ଥିତି, ଅକ୍ସିଜେନ ଅଭାବ ଏବଂ ଔଷଧ ଗଚ୍ଛିତ ଉପରେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ରବିବାର ଦିନ ବିଶେଷଜ୍ଞଙ୍କ ସହ ବୈଠକ କରିବା ସହ ସାମ୍ପ୍ରତିକ ସ୍ଥିତି ଉପରେ ଆଲୋଚନା କରି ସ୍ବାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା ମଧ୍ୟ କରିଛନ୍ତି । ଏହି ସମୀକ୍ଷା ବୈଠକ ଭର୍ଚ୍ଚୁଆଲି ହୋଇଛି । ସେ କୋଭିଡ-19 ମହାମାରୀ ସମ୍ବନ୍ଧରେ ମାନବ ସମ୍ବଳର ଉପଯୋଗ ଏବଂ ଏହାକୁ ବୃଦ୍ଧି କରିବାର ଉପାୟ ମଧ୍ୟ ସମୀକ୍ଷା କରିଥିଲେ । ଏନେଇ ସରକରୀ ସୂତ୍ରରୁ ସୂଚନା ମିଳିଛି ।ଏହି ବୈଠକରେ କୋଭିଡ-19 ସମୟରେ କାର୍ଯ୍ୟରେ ଯୋଗ ଦେବା ପାଇଁ ମେଡିକାଲ ଏବଂ ନର୍ସିଂ ପାଠ୍ୟକ୍ରମର ଛାତ୍ରମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉତ୍ସାହିତ କରିଥିବା ଦେଖିବାକୁ ମିଳିଛି ।
ଏହା ସହିତ ମୋଦି ବୈଠକରେ ନାଇଟ୍ରୋଜେନ୍ ପ୍ଲାଣ୍ଟକୁ ଅକ୍ସିଜେନ୍ ପ୍ଲାଣ୍ଟରେ କନଭର୍ଟ ଉପରେ ଗୁରୁତ୍ବାରୋପ କରିଥିଲେ । ସେହିପରି ସମସ୍ତ ଶିଳ୍ପାଞ୍ଚଳ ନିକଟରେ 10 ହଜାର ଅକ୍ସିଜେନ୍ ବେଡ୍ ବିଶିଷ୍ଟ ଅସ୍ଥାୟୀ ହସ୍ପାଟାଲ ନିର୍ମାଣ ପାଇଁ ଯୋଜନା ରହିଥିବା କହିଛନ୍ତି । ତେବେ କିଛି ଦିନ ତଳେ ମୁମ୍ବାଇ ଆଇଆଇଟିର ଏକ ଟିମ୍ ନାଇଟ୍ରୋଜେନ୍ ପ୍ଲାଣ୍ଟକୁ କିପରି ଅକ୍ସିଜେନ୍ ପ୍ଲାଣ୍ଟରେ ପରିବର୍ତ୍ତନ କରାଯାଇପାରିବ ସେନେଇ ମଡଡେଲ ପ୍ରଦର୍ଶନ କରିଥିଲେ ।