ନୂଆଦିଲ୍ଲୀ: କୋଭିଡକୁ ମାତ୍ ଦେବାରେ ମୁଖ୍ୟାସ୍ତ୍ର ସାଜିଛି ଟୀକାକରଣ । ଏଯାବତ୍ ମୋଟ 106 କୋଟି ଟୀକାକରଣ କରାଯାଇଛି । ତେବେ, ଦେଶରେ ଶନିବାର ଦିନ 61 ଲକ୍ଷ 99 ହଜାର 429 ଟୀକାକରଣ କରାଯାଇଛି । ଏନେଇ ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି । କୋରୋନାକୁ ମାତ ଦେବା ପାଇଁ ଜୁନ୍ ୨୦୨୧ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ ।
ସଂକ୍ରମଣ ବିରୋଧରେ ଏବେବି ଲଢେଇ ଜାରି ରଖିଛି ଭାରତ । ଏନେଇ ଚଳିତ ବର୍ଷ ଜାନୁଆରୀ ୧୬ ତାରିଖରୁ ପ୍ରଥମେ ଦେଶରେ ଟୀକାକରଣ ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟସେବା କର୍ମଚାରୀ ଟିକା ନେଇଥିଲେ । ଫେବୃୟାରୀ ୨ ତାରିଖରୁ ସମସ୍ତ ସମ୍ମୁଖ ଯୋଦ୍ଧାଙ୍କ ଟୀକାକରଣ ଆରମ୍ଭ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟ ଟୀକାକରଣ ମାର୍ଚ୍ଚ ପହିଲାରୁ ଆରମ୍ଭ ହୋଇଥିଲା ।