ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ସାମ୍ବାଦିକା ସୌମ୍ୟା ବିଶ୍ବନାଥନ ହତ୍ୟା ମାମଲାରେ 4 ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ଜଣେ ଦୋଷୀଙ୍କୁ 3 ବର୍ଷର କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏହା ସହ 5 ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଶୁଣାଇଛନ୍ତି କୋର୍ଟ । ଚଳିତ ଅକ୍ଟୋବର 18 ତାରିଖରେ ସମସ୍ତ 5 ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଆଜି ଦିଲ୍ଲୀର ସାକେତ କୋର୍ଟ ପୂର୍ବରୁ ସଂରକ୍ଷିତ ଥିବା ଦଣ୍ଡାଦେଶ ରାୟ ପ୍ରକାଶ କରିଛନ୍ତି ।
ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଦୋଷୀଙ୍କ ମଧ୍ୟରେ ରବି କପୁର, ଅଜୟ କପୁର, ଅମିତ ଶୁକ୍ଳା ଓ ବଲଜିତ ମଲ୍ଲିକ ରହିଛି । 5ମ ଦୋଷୀ ଆଜୟ ମଲ୍ଲିକକୁ 3 ବର୍ଷ ଜେଲ ହୋଇଛି । ଶୁକ୍ରବାର ଆଡିସନାଲ ସେସନ ଜଜ୍ ବୀନ୍ଦ୍ର କୁମାର ପାଣ୍ଡେ ଏହି ମାମଲାରେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ ।
ଚଳିତ ଅକ୍ଟୋବର 18 ତାରିଖରେ ଏହିବହୁଚର୍ଚ୍ଚିତ ସାମ୍ବାଦିକା ହତ୍ୟା ମାମଲାରେ 5 ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ପ୍ରାୟ 15 ବର୍ଷର ନ୍ୟାୟିକ ପ୍ରକ୍ରିୟା ପରେ ଦିଲ୍ଲୀ ସାକେତ କୋର୍ଟ ଏହି ଲୁଟ ଓ ହତ୍ୟା ମାମଲାରେ ସମସ୍ତ 5 ଅଭିଯୁକ୍ତଙ୍କୁ ମହାରାଷ୍ଟ୍ର ସଂଗଠିତ ଅପରାଧ ନିୟନ୍ତ୍ରଣ ଅଧିନିୟମ (MCOCA) ଅନୁସାରେ ଦୋଷୀ ସାବ୍ୟସ୍ତ କରିଥିଲେ । ଦୋଷୀମାନଙ୍କ ମଧ୍ୟରେ ରବି କପୁର, ଅମିତ ଶୁକ୍ଲା, ବଲଜିତ ମଲିକ, ଅଜୟ କୁମାର ଓ ଅଜୟ ସେଠୀ ଥିଲେ ।