ହାଇଦ୍ରାବାଦ:ଗତ ବର୍ଷ ଉତ୍ତର ପ୍ରଦେଶର ଲକ୍ଷୀମପୁର ଖେରୀରେ କୃଷି ଆଇନକୁ ବିରୋଧ କରି ହେଉଥିବା ପ୍ରତିବାଦ ବେଳେ କୃଷକଙ୍କ ଉପରେ ଗାଡି ମଡାଇଦେବା ମାମଲାରେ ଆଜି ସ୍ଥାନୀୟ ଏକ କୋର୍ଟ ଅଭିଯୋଗ ସ୍ଥିର କରିଛନ୍ତି (Court frames charges against Ashish Misra)। ଚାରିଜଣ କୃଷକଙ୍କ ହତ୍ୟା ମାମଲାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେବା ନେଇ କୋର୍ଟ କହିଛନ୍ତି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ସମେତ ମୋଟ 14 ଅଭିଯୁକ୍ତଙ୍କୁ ଅଭିଯୋଗରେ ଅନ୍ତର୍ଭୁକ୍ତ କରାଯାଇଛି । ଆସନ୍ତା 16 ତାରିଖରୁ ଏହି ମାମଲାରେ ଶୁଣାଣି ଆରମ୍ଭ ହେବା ନେଇ କୋର୍ଟ ଘୋଷଣା କରିଛନ୍ତି । ଗତକାଲି କୋର୍ଟ ଆଶିଷ ମିଶ୍ରାଙ୍କ ଦ୍ବାରା ହୋଇଥିବା ମାମଲାକୁ ଖାରଜ କରିବା ପରେ ଆଜି ତାର ଗୋଟିଏ ଦିନ ପରେ ଏହି ରାୟ ଆସିଛି ।
ଅଭିଯୁକ୍ତମାନଙ୍କ ବିରୋଧରେ ଧାରା 302,307, 326 ଓ 147 ଆଧାରରେ ମାମଲା ଆରମ୍ଭ ହେବ । ଏହି ଘଟଣାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ମୁଖ୍ୟ ଅଭିଯୁକ୍ତ ରହିଛନ୍ତି । ଚାଷୀଙ୍କ ଉପରେ ମାଡି ଯାଇଥିବା ଏସୟୁଭି କାର ଆଶିଷ ହିଁ ଚଳାଉଥିଲେ । ପୂର୍ବରୁ ଏହି ମାମଲାରେ ତଦନ୍ତକାରୀ ସଂସ୍ଥା ଆଶିଷଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇ ଚାର୍ଜସିଟ ଦାଖଲ କରିବା ସହ ଏହା ଏକ ଆକସ୍ମିକ ଦୁର୍ଘଟଣା ନୁହେଁ ବରଂ ଏହା ଏକ ଯୋଜନାବଦ୍ଧ କାଣ୍ଡ ବୋଲି ମଧ୍ୟ ଦର୍ଶାଇଥିଲା ।