କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଚର୍ଚ୍ଚିତ ଆସନ ନନ୍ଦିଗ୍ରାମକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏହି ମାମଲା ଗୁରୁବାର ଶୁଣାଣି କରିଥିଲେ କୋଲକାତା ହାଇକୋର୍ଟ । ଏହି ମାମଲାକୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି କୋର୍ଟ । ପଶ୍ଚିମବଙ୍ଗରୁ ଏହି ମାମଲାକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର ପାଇଁ ଶୁଭେନ୍ଦୁ ଅଧିକାରୀଙ୍କ ଓକିଲ କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି କୋଲକୋତା ହାଇକୋର୍ଟ ମାମଲାକୁ ୧୫ ନଭେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ।
ଦୁଇମାସ ତଳେ ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରେ ଜୋରଦାର ପ୍ରତିଦ୍ବନ୍ଦ୍ବିତା ହୋଇଥିଲା । ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତାଙ୍କୁ ପରାଜିତ କରିଥିଲେ । ନନ୍ଦିଗ୍ରାମରୁ ପରାସ୍ତ ହେବା ପରେ ମମତା ବାନାର୍ଜୀ ଅଭିଯୋଗ କରିଥିଲେ ଯେ, ବିଧାନସଭା ଦାୟିତ୍ବରେ ଥିବା ରିଟର୍ଣ୍ଣିଂ ଅଫିସରଙ୍କୁ ଧମକ ଚମକ ଦିଆଯାଇଛି । ଯାହା ନିଜେ ରିଟର୍ଣ୍ଣିଂ ଅଫିସ କହିଥିବା ମମତା କହିଛନ୍ତି । ଫଳରେ ନନ୍ଦିଗ୍ରାମ ଫଳାଫଳକୁ ଚ୍ୟାଲେଞ୍ଜ କରି ମମତା ବାନାର୍ଜୀ ନନ୍ଦିଗ୍ରାମରେ ପୁନଃ ଗଣତି ଆବେଦନ କରି କୋଲକାତା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।