ଗାନ୍ଧୀନଗର:ଗୁଜୁରାଟ ଫେରିଛନ୍ତି ଇରାନରେ ଅପହୃତ ହୋଇଥିବା ଭାରତୀୟ ଦମ୍ପତି । ଉଭୟ ଅହମ୍ମଦାବାଦରେ ପହଞ୍ଚିବା ପରେ ଯୁବକଜଣଙ୍କୁ ଚିକିତ୍ସା ପାଇଁ ଗାନ୍ଧୀନଗରର ଏକ ହସ୍ପିଟାଲକୁ ରେଫର କରାଯାଇଛି । ଦମ୍ପତି ପ୍ରତ୍ୟାବର୍ତ୍ତନ ପରେ ଗୁଜୁରାଟ ଗୃହମନ୍ତ୍ରୀ ହର୍ଷ ସଙ୍ଗଭୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ଦମ୍ପତି ବିନା କୌଣସି ବୈଧ ପ୍ରମାଣପତ୍ରରେ ଏଜେଣ୍ଟ ଜରିଆରେ ଆମେରିକା ଯାତ୍ରା କରିବା ପାଇଁ ବାହାରିଥିଲେ । ହେଲେ ଉଭୟ ଇରାନରେ ଅପହରଣ ହୋଇ ନିର୍ଯାତନା ଶିକାର ହୋଇଥିବା ସୂଚନା ମିଳିଥିଲା ।
ଗୁଜୁରାଟର ନ୍ୟୁ-ନରୋଡା ଅଞ୍ଚଳର ଏହି ଦମ୍ପତି ପଙ୍କଜ ଓ ନିଶା ବିନା ଭିସାରେ ଆମେରିକା ଯିବା ପାଇଁ ସ୍ଥାନୀୟ ଜଣେ ଏଜେଣ୍ଟର ପ୍ରଲୋଭନର ଶିକାର ହୋଇଥିଲେ । ସମ୍ପୃକ୍ତ ଏଜେଣ୍ଟ ଏମାନଙ୍କୁ ଅହମ୍ମଦାବାଦରୁ ହାଇଦ୍ରାବାଦ-ଇରାନ ଦେଇ ଆମେରିକା ପଠାଇବାର ବ୍ୟବସ୍ଥା କରିବା ନେଇ କହିଥିଲା । ଏମାନଙ୍କୁ ପ୍ରଥମେ ହାଇଦ୍ରାବାଦରୁ ଦୁବାଇ ଓ ପରେ ସେଠାରୁ ଇରାନକୁ ନିଆଯାଇଥିଲା । ହେଲେ ଇରାନରେ ସେମାନଙ୍କୁ ଅପହରଣ କରାଯାଇ ବନ୍ଧକ ରଖାଯାଇଥିଲା । ଏକ କୋଠରୀରେ ବନ୍ଦ ରଖାଯିବା ସହ ଯୁବକଙ୍କୁ ଶାରିରୀକ ନିର୍ଯାତନା ମଧ୍ୟ ଦିଆଯାଇଥିଲା । ଏନେଇ ଏକ ନିର୍ଯାତନାର ଭିଡିଓ ଯୁବକଙ୍କ ପରିବାର ନିକଟରେ ମଧ୍ୟ ପହଞ୍ଚିଥିଲା । ଯୁବକଙ୍କ ସାନ ଭାଇ ସଙ୍କେତ ପଟେଲ ଏନେଇ ଗୁଜୁରାଟ ସରକାରଙ୍କୁ ଉଦ୍ଧାର ପାଇଁ ନିବେଦନ କରିଥିଲେ ।