ଚଣ୍ଡିଗଡ:ହରିୟାଣା ସୋନିପତ ସହରର ଭଗାନ ଟୋଲ ପ୍ଲାଜାରେ ଦମ୍ପତିଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ 7ଜଣ ଟୋଲ ପ୍ଲାଜା କର୍ମଚାରୀଙ୍କୁ ଅଟକ ରଖିଛି । କୌଣସି କାରଣରୁ ବଚସା ହେବା ପରେ ଦମ୍ପତିଙ୍କୁ ଆକ୍ରମଣ କରିଥିଲେ ପ୍ଲାଜା କର୍ମଚାରୀ । ଏନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ସମ୍ପୃକ୍ତ ଦମ୍ପତି ମଧ୍ୟ ପରେ ପୋଲିସରେ ଅଭିଯୋଗ କରିଥିଲେ । ତଦନ୍ତର ଅଗ୍ରଗତି ଅନୁସାରେ, ପୋଲିସ ପ୍ଲାଜାର 7 କର୍ମଚାରୀଙ୍କୁ ଅଟକ ରଖି ଥାନାକୁ ଆଣିଛି । ସେମାନଙ୍କୁ ଜେରା ଜାରି ରହିଛି । ସିସିଟିଭି ଫୁଟେଜ ସଂଗ୍ରହ କରାଯାଇ ଯାଞ୍ଚ କରାଯାଉଥିବା ପୋଲିସ କହିଛି ।
ସୋନିପତ ମୁର୍ତ୍ତଲ ପୋଲିସ ଷ୍ଟେସନର ଅଧିକାରୀ ଜସପାଲ ସିଂ କହିଛନ୍ତି, ଏହି ଘଟଣାଟି ସେପ୍ଟେମ୍ବର 9 ତାରିଖରେ ସାମ୍ନାକୁ ଆସିଛି । ସେତେବେଳେ ଉଭୟ ଦମ୍ପତି ଓ ପ୍ଲାଜା କର୍ମଚାରୀଙ୍କ ପକ୍ଷରୁ କୌଣସି ଅଭିଯୋଗ ହୋଇନଥିଲା । ସେମାନଙ୍କ ମଧ୍ୟରେ ଏକ ବୁଝାମଣା ହୋଇଥିବା ସୂଚନା ମିଳିଥିଲା । ତେବେ ଆକ୍ରମଣ ସମୟର ଏକ ଭିଡିଓ ଏବେ ଭାଇରାଲ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏବେ ସୁଦ୍ଧା ତଦନ୍ତ ଅନୁସାରେ, କର୍ମଚାରୀମାନେ ଦମ୍ପତିଙ୍କ ଉପରେ ଆକ୍ରମଣରେ ସାମିଲ ଥିବା ଜଣାପଡ଼ୁଛି । ସେମାନଙ୍କ ମଧ୍ୟରୁ 7ଜଣଙ୍କୁ ପୋଲିସ ଥାନାକୁ ଆଣି ଜେରା କରୁଛି । ଆବଶ୍ୟକ ପଡ଼ିଲେ ଅନ୍ୟମାନଙ୍କୁ ମଧ୍ୟ ଅଣାଯିବ ।