ନୂଆଦିଲ୍ଲୀ: ଦେଶରେ ଜାରି ମହାମାରୀ ସଙ୍କଟ ମଧ୍ୟରେ ଭ୍ୟାକ୍ସିନକୁ ନେଇ ବଡ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି ଭ୍ୟାକ୍ସିନ କେବେ ଆସିବ ଏହାର ସମୟ ଆମେ ସ୍ଥିର କରିପାରିବୁ ନାହିଁ । ଏହା ବୈଜ୍ଞାନିକଙ୍କ ହାତରେ ବୋଲି କହିଛନ୍ତି ମୋଦି ।
ପ୍ରଧାନମନ୍ତ୍ରୀ ମଙ୍ଗଳବାର 8 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମହାମାରୀ କୋରୋନା ସଂକ୍ରମଣକୁ ନେଇ ସମୀକ୍ଷା ବୈଠକ କରିଛନ୍ତି । ସେ କହିଛନ୍ତି କିଛି ଜଣ ଏହି ମାମଲାରେ ରାଜନୀତି କରୁଛନ୍ତି । ହେଲେ ରାଜନୀତି କରିବାରୁ କାହାକୁ ରୋକାଯାଇପାରିବ ନାହିଁ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ନାଗରିକଙ୍କ ପାଇଁ କୋରୋନା ଟୀକାକରଣ ଏକ ଜାତୀୟ ପ୍ରତିବଦ୍ଧତା ଭଳି। ପ୍ରତ୍ୟେକ ରାଜ୍ୟ ଏବଂ ହିତାଧିକାରୀଙ୍କୁ ଏକ ମିଶନ ଭାବରେ ଏକ ବ୍ୟବସ୍ଥିତ, ସୁଗମ ଏବଂ ସ୍ଥାୟୀ ପ୍ରୟାସ ସୁନିଶ୍ଚିତ କରିବାକୁ ଏକ ଟିମ ରୂପରେ କାର୍ଯ୍ୟ କରିବାକୁ ପଡିବ ।
ପ୍ରଧାନମନ୍ତ୍ରୀ ମୋଦ କହିଛନ୍ତି ଯେ ଟୀକା ଆସିବା ପରେ ଆଗଧାଡିର କର୍ମଚାରୀମାନଙ୍କୁ ପ୍ରାଥମିକତା ଦେବା ଉଚିତ । କେନ୍ଦ୍ର ଓ ରାଜ୍ୟଗୁଡିକୁ ଏକାଠି କାମ କରିବାକୁ ପଡ଼ିବ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଆଶ୍ବାସନା ଦେଇଛନ୍ତି ଯେ ଟୀକା ପ୍ରଦାନ କାର୍ଯ୍ୟ ସ୍ବଚ୍ଛ ଢଙ୍ଗରେ କରାଯିବ । ଟୀକା ବିଷୟରେ ସମସ୍ତ ରାଜ୍ୟ ଲିଖିତ ଆକାରରେ ନିଜର ମତାମତ ଦେବା ଉଚିତ। କାହା ଉପରେ କୌଣସି ନିଷ୍ପତ୍ତି ଲଦିଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମୋଦି ।