ମୁମ୍ବାଇ: ଭାରତରେ ହୁହୁ ହୋଇ ମାଡି ଚାଲିଛି କୋରୋନା କାୟା । ସଂକ୍ରମିତଙ୍କ ଅପେକ୍ଷା ବଢି ଚାଲିଛି ମୃତ୍ୟୁ ସଂଖ୍ୟା । କେଉଁଠି ଅକ୍ସିଜେନ ଅଭାବରେ ତ ଆଉ କେଉଁଠି ଶଯ୍ୟା ଅଭାବରେ ଦିନକୁ 2000ରୁ ଊର୍ଦ୍ଧ୍ବ ମୁଣ୍ଡ ଗଡିବାରେ ଲାଗିଛି । କୋରୋନା କାହାରିକୁ ଛାଡୁ ନାହିଁ । ତେଣିକି ସେ ନେତା ହେଉକି ମନ୍ତ୍ରୀ, ସେଲିବ୍ରିଟି ହୁଅନ୍ତୁ କି ବିତ୍ତଶାଳୀ ବ୍ୟକ୍ତି । ମୃତ୍ୟୁର ଜାଲରେ ସେ ସମସ୍ତଙ୍କୁ ଫସାଇବାରେ ସଫଳ ହେଉଛି । ତାର କରାୟତ୍ତରୁ କେହି ବର୍ତ୍ତି ପାରୁନାହାଁନ୍ତି । ପ୍ରଥମ କୋରୋନା ଅପେକ୍ଷା ଦ୍ବିତୀୟ ପର୍ଯ୍ୟାୟ କୋରୋନା ସାଙ୍ଘାତିକ ହୋଇପଡିଛି । ଶଯ୍ୟା ଅଭାବରେ ଗଛ ମୂଳରେ ପଡି କାହାର ମୃତ୍ୟୁ ହେଲାଣି ତ ମେଡିକାଲ ବାରଣ୍ଡାରେ କିଏ ପୁଣି ନିଜର ଶେଷ ନିଶ୍ବାସ ତ୍ୟାଗ କରୁଛି । ଏହି ହୃଦୟବିଦାରକ ଚିତ୍ର ମାନବସମାଜକୁ ଦୋହଲାଇ ଦେବା ସହ ପରିସ୍ଥିତି କିପରି ଭୟାନକ ହୋଇ ପଡୁଛି, ତାହା ନିଚ୍ଛକ ଭାବେ ପ୍ରତିପାଦିତ ହେଉଛି । ଏଭଳି ଛାତି ଥରାଇବା ଦୃଶ୍ୟ ମହାରାଷ୍ଟ୍ରର ନାସିକରେ ଦେଖିବାକୁ ମିଳିଛି ।
ଏହି ଦୁଃଖଦ ଘଟଣାଟି ଘଟିଛି ନାସିକର ଚାନ୍ଦବାଡ ସରକାରୀ ମେଡିକାଲରେ । ଶଯ୍ୟା ଓ ଅକ୍ସିଜେନ ଅଭାବ ଯୋଗୁଁ ଜଣେ ବ୍ୟକ୍ତି ନିଜ ପତ୍ନୀର କୋଳରେ ହିଁ ଆରପାରିକୁ ଚାଲିଗଲେ । ପତ୍ନୀ ଜଣଙ୍କ ନିଜ କୋରୋନା ସଂକ୍ରମିତ ସ୍ବାମୀଙ୍କୁ ଉପରୋକ୍ତ ମେଡିକାଲରେ ଚିକିତ୍ସା ନିମନ୍ତେ ଆଣିଥିଲେ । କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ଶଯ୍ୟା ଓ ଅକ୍ସିଜେନ ଅଭାବ କାରଣରୁ ଉକ୍ତ ବ୍ୟକ୍ତିଙ୍କୁ ମେଡିକାଲରେ ଆଡମିଟ୍ କରିବାକୁ ସଫା ସଫା ମନା କରିଦେଇଥିଲେ ।
ପତ୍ନୀ ଜଣଙ୍କ କାନ୍ଦି କାନ୍ଦି ଗଡିଯାଇଥିଲେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ କିଛି ଶୁଣି ନଥିଲେ । ରୋଗାକ୍ରାନ୍ତ ସ୍ବାମୀଙ୍କ ଅବସ୍ଥାକୁ ଆଖିରେ ଦେଖିପାରୁନଥିବା ସ୍ତ୍ରୀ ଏକପ୍ରକାର ଅସହାୟ ପଡିଥିଲା । କଣ କରିବ କିଛି ବୁଝିପାରୁନଥିଲା । ବାରମ୍ବାର ଚିତ୍କାର କରୁଥିଲେ ତାଙ୍କ ଶଙ୍ଖା-ସିନ୍ଦୂର ବଞ୍ଚାଇଦେବାକୁ, କିନ୍ତୁ କୌଣସି ଲାଭ ହୋଇନଥିଲା । ଡାକ୍ତରଙ୍କ ଠାରୁ ଆରମ୍ଭ କରି ନର୍ସ ପର୍ଯ୍ୟନ୍ତ ସମସ୍ତେ ଦେଖଣାହାରୀ ସାଜିଥିଲେ, କିନ୍ତୁ କାହାର ମଧ୍ୟ ହୃଦୟ ତରଳି ନ ଥିଲା । କେହି ସହାୟତାର ହାତ ବଢାଇ ନ ଥିଲେ । ମେଡିକାଲରେ ଥିବା ଅନ୍ୟ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ମୋବାଇଲରେ ଭିଡିଓ କରିବାରେ ବ୍ୟସ୍ତ ଥିଲେ । ହେଲେ କେହି ମହିଳାଙ୍କୁ ଆହାଃ ପଦେ ମଧ୍ୟ କହୁ ନ ଥିଲେ ।