ନୂଆଦିଲ୍ଲୀ:ଆଜି ସକାଳୁ ଦିଲ୍ଲୀ ପୋଲିସ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବାସଭବନରେ ପହଞ୍ଚିଛି । ଭାରତ ଯୋଡ ଯାତ୍ରା ସମୟରେ କଂଗ୍ରେସ ନେତା ଭେଟିଥିବା ଗଣଦୁଷ୍କର୍ମ ପୀଡିତାଙ୍କ ସଂକ୍ରାନ୍ତରେ ଅଧିକ ଜାଣିବା ପାଇଁ ପୋଲିସ ତାଙ୍କ ଘରକୁ ଯାଇଛି । ଏହି ପରିପ୍ରେକ୍ଷୀରେ ପୂର୍ବରୁ ପୋଲିସ ରାହୁଲଙ୍କୁ ନୋଟିସ ମଧ୍ୟ ପଠାଇଥିଲା । ସେ ପୀଡିତାଙ୍କ ସମ୍ପର୍କରେ ତଥ୍ୟ ରଖନ୍ତୁ ବୋଲି କୁହାଯାଇଥିଲା । ଯଦ୍ବାରା ପୋଲିସ ସମ୍ପୃକ୍ତ ଦୁଷ୍କର୍ମ ପୀଡିତାଙ୍କ ସମ୍ପର୍କରେ ଜାଣି ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ ।
ସେଥିପାଇଁ ଆଜି ସକାଳୁ ଦିଲ୍ଲୀର ସ୍ପେଶାଲ ପୋଲିସ କମିଶନର (Law and Order) ସାଗର ପ୍ରୀତ ହୁଡା କିଛି ପୋଲିସ କର୍ମୀଙ୍କ ସହ ୱାୟନାଡ ସାଂସଦ ରାହୁଲଙ୍କ ବାସଭବନରେ ପହଞ୍ଚିଥିଲେ । ରାହୁଲ ନିଜ ବୟାନରେ କହିଥିବା ଦୁଷ୍କର୍ମ ପୀଡିତାଙ୍କ ସମ୍ପର୍କରେ ଜାଣିବାକୁ ସେ ତାଙ୍କ ସହ ଆଲୋଚନା ପାଇଁ ଯାଇଥିଲେ । ଏନେଇ ଗଣମାଧ୍ୟମ ଆଗରେ ସ୍ପେଶାଲ ସିପି ହୁଡା କହିଛନ୍ତି, ''ଆମେ ରାହୁଲ ଗାନ୍ଧୀଙ୍କ ସହ କଥା ହେବାକୁ ଏଠାକୁ ଆସିଛୁ । ଜାନୁୟାରୀ ୩୦ ତାରିଖ ଦିନ ଭାରତ ଯୋଡ ଯାତ୍ରା ସମୟରେ ଗଣଦୁଷ୍କର୍ମ ପୀଡିତାଙ୍କ ସମ୍ପର୍କରେ ସେ ଯେଉଁ କଥା କହିଥିଲେ ସେହି ବିଷୟରେ ତାଙ୍କଠାରୁ ଅଧିକ ଜାଣିବା ପାଇଁ ଚାହୁଁଛୁ । ଯାହାଦ୍ବାରା ଅଭିଯୁକ୍ତଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେଇ ପୀଡିତାଙ୍କୁ ନ୍ୟାୟ ଦିଆଯାଇପାରିବ ।''
ଏହାମଧ୍ୟ ପଢନ୍ତୁ: ଅମ୍ରିତପାଲ ସିଂହଙ୍କୁ ପଳାତକ ଘୋଷିତ କଲା ପୋଲିସ, ପଞ୍ଜାବରେ ସୁରକ୍ଷା କଡାକଡି