ହାଇଦ୍ରାବାଦ:ଦିଲ୍ଲୀର ସୁଲତାନପୁରୀର କଞ୍ଜୱାଲାରେ ଯୁବତୀଙ୍କୁ କାରରେ ଘୋଷାଡି ନେବା ଘଟଣାରେ ମାମଲାରେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟର ଖୁଲାସା ହେବାରେ ଲାଗିଛି । ଆଜି ମୃତକ ଅଞ୍ଜଳିଙ୍କ ଚୂଡାନ୍ତ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଯେଉଁଥିରେ ସେ ମଦ୍ୟପାନ କରିଥିବା ନେଇ କୌଣସି ପ୍ରମାଣ ମିଳିନି (consumption of alcohol by Anjali is not confirmed)। ବ୍ୟବଚ୍ଛେଦ ରିପୋର୍ଟରେ ଏପରି ତଥ୍ୟ ସାମ୍ନାକୁ ଆସିବା ପରେ ଦୁର୍ଘଟଣା ଦିନ ସ୍କୁଟିରେ ଥିବା ମୃତକଙ୍କ ବାନ୍ଧବୀ ନିଧିଙ୍କ ବୟାନ ନେଇ ପୁଣି ଥରେ ସନ୍ଦେହ ବଢିଛି । ଦୁର୍ଘଟଣା ପୂର୍ବରୁ ଅଞ୍ଜଳି ମଦ୍ୟପାନ କରିଥିବା ନେଇ ବୟାନ ରଖିଥିଲେ ବାନ୍ଧବୀ ନିଧି (Delhi Kanjhawala case pm report)।
ତେବେ ନିଧିଙ୍କ ବୟାନ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏବେ ବ୍ୟବଚ୍ଛେଦ ରିପୋର୍ଟରେ ବିପରୀତ ତଥ୍ୟ ସାମ୍ନାକୁ ଆସିବା ପରେ ନିଧିଙ୍କୁ ପୋଲିସ ପୁଣି ଥରେ ଡାକି ଜେରା କରିପାରେ ବୋଲି ଅନୁମାନ କରାଯାଉଛି । ପୂର୍ବରୁ ପ୍ରାଥମିକ ବ୍ୟବଚ୍ଛେଦ ରିପୋର୍ଟ ଆସି ସାରିଥିବା ବେଳେ ଆଜି ଅନ୍ତିମ ତଥା ପୂର୍ଣ୍ଣାଙ୍ଗ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଯେଉଁଥିରେ ମୃତକ ଅଞ୍ଜଳିଙ୍କ ମୃତଦେହ ନମୂନାରେ ଆଲକୋହଲର କୌଣସି ପ୍ରମାଣ ମିଳିନାହିଁ । ସେହିପରି ଚୂଡାନ୍ତ ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି, ମୃତକଙ୍କ ଶରୀରର ପ୍ରାୟ 40 ସ୍ଥାନରେ ଗଭୀର ଆଘାତ ଲାଗିଛି । ମେରୁଦଣ୍ଡ ଓ ମୁଣ୍ଡ ପରି ଗୁରୁତ୍ବପୂର୍ଣ୍ଣ ଅଙ୍ଗରେ ମଧ୍ୟ ପ୍ରବଳ ଆଘାତ ଲାଗିଛି । ଏକାଧିକ ଅଙ୍ଗରେ ଗଭୀର ଆଘାତ ଓ ମାତ୍ରାଧିକ ରକ୍ତସ୍ରାବ ଫଳରେ ମୃତ୍ୟୁ ହୋଇଛି ।