ଶ୍ରୀନଗର/ଲେହ: କେନ୍ଦ୍ର ସଡକ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ଆଜି (ମଙ୍ଗଳବାର) ଜମ୍ମୁ କାଶ୍ମୀରରେ ନିର୍ମାଣାଧୀନ ଜୋଜିଲା ଓ ଜେଡ ମୋଡ ଟନେଲର କାର୍ଯ୍ୟ ସମୀକ୍ଷା କରିଛନ୍ତି । ଏହା ସହ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀ, ଇଞ୍ଜିନିୟର ଓ ଶ୍ରମିକଙ୍କ ସହ ଆଲୋଚନା କରିଛନ୍ତି ।
ମଙ୍ଗଳବାର ଉଭୟ ଟନେଲର ନିର୍ମାଣ କାମ ସମୀକ୍ଷା ପରେ ଗଡକରୀ କହିଛନ୍ତି, ଉଭୟ ଟନେଲ ଆସନ୍ତା ୨୦୨୪ ମେ’ ମାସ ପୂର୍ବରୁ ଶେଷ ହୋଇଯିବ । ଉଭୟ ଟନେଲ ନିର୍ମାଣ ଶେଷ ହେଲେ ଶ୍ରୀନଗର-ଲେହ- ଲଦାଖକୁ ବର୍ଷତମାମ ଯାତାୟତ ଲାଗି ରହିବ । କିନ୍ତୁ ବର୍ତ୍ତମାନ ପ୍ରତିକୂଳ ପାଗ ପାଇଁ ବର୍ଷର ଅଧା ଦିନ ଏହି ରାଜପଥ ବନ୍ଦ ରହୁଛି । ଏବେ ଜୋଜିଲା ଓ ସମଗ୍ର ଅଞ୍ଚଳରେ ତୁଷାରପାତ କାରଣ ଓ ପ୍ରବଳ ଥଣ୍ଡା କାରଣରୁ ବର୍ଷର ଅଧା ଦିନ ରାସ୍ତା ବନ୍ଦ ରହୁଛି ।
ଆଜି ସଡକ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ଉଭୟ ଟନେଲର ନିର୍ମାଣ କାର୍ଯ୍ୟ ସମୀକ୍ଷା ପରେ କହିଛନ୍ତି, ନିର୍ମାଣକୁ ନେଇ ସନ୍ତୁଷ୍ଟ ଅଛନ୍ତି । ଏହାର କାର୍ଯ୍ୟ ୨୦୨୪ ମେ’ ସୁଦ୍ଧା ଶେଷ କରିବାକୁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ନିର୍ବାଚନ ବେଳେ ବିରୋଧୀଙ୍କୁ ସରକାର ଦେଖାଇ ପାରିବେ ଯେ ଜାମ୍ମୁ କାଶ୍ମୀର ପାଇଁ ସରକାର କଣ କରିଛନ୍ତି । ଏହାସହ ଗଡକରୀ କହିଛନ୍ତି ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ କେନ୍ଦ୍ର ସରକାର ୧ ଲକ୍ଷ କୋଟି ପୁଞ୍ଜି ନିବେଶ କରିଛନ୍ତି । ଅନେକ ଯୋଜାନ କାର୍ଯ୍ୟକାରୀ ହେଉଛି । ସମସ୍ତ ଯୋଜନା ଜାମ୍ମୁ କାଶ୍ମୀରର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ପ୍ରଗତି ପାଇଁ ଉଦ୍ଦିଷ୍ଟ ବୋଲି ଗଡକରୀ କହିଛନ୍ତି ।