ନୂଆଦିଲ୍ଲୀ: ଦୀର୍ଘ 50 ବର୍ଷରୁ ଅଧିକ ସମୟ ଧରି ଚାଲି ଆସୁଥିବା ଆନ୍ଧ୍ରପ୍ରଦେଶ-ଓଡିଶା ସୀମା ବିବାଦ ପୁଣି ଥରେ ସୁପ୍ରିମକୋର୍ଟରେ ପହଞ୍ଚିଛି । ସାରା ଦେଶରେ ଏବେ କେନ୍ଦ୍ର ବିନ୍ଦୁ ପାଲଟିଛି ଓଡିଶାର କୋଟିଆ ପଞ୍ଚାୟତ, ଯାହା ଉପରେ ରହିଛି ପଡୋଶୀ ଆନ୍ଧ୍ରପ୍ରଦେଶର ଆଖି । କୋଟିଆ ଉପରେ ଜୋର ଜବରଦସ୍ତ ନିଜର ଦଖଲ ଜାହିର କରିବାକୁ ପ୍ରୟାସ ଚଳାଇଛି ଆନ୍ଧ୍ରପ୍ରଦେଶ ।
ପ୍ରତିଥର ଭଳି ଏଥର ମଧ୍ୟ ଆନ୍ଧ୍ର ସରକାରଙ୍କ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିଲା । ଗତମାସ 31 ତାରିଖରେ ଆନ୍ଧ୍ରପ୍ରଦେଶର ସାଲୁର ମଣ୍ଡଳମ ଅନ୍ତର୍ଗତ 9ଟି ପଞ୍ଚାୟତରେ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସୋମବାର ଥିଲା ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ । ଆନ୍ଧ୍ରର ଏହି 9 ଟି ପଞ୍ଚାୟତ ମଧ୍ୟରେ ଓଡ଼ିଶାର କୋଟିଆ ପଞ୍ଚାୟତର ତିନୋଟି ଗାଁ ତଳଗଞ୍ଜେଇପଦର, ଫାଟୁସିନେରୀ, ଫଗୁଣ ସିନେରୀରେ ନିର୍ବାଚନ ହେଉଥିବା ଯୋଗୁଁ କୋରାପୁଟରେ ଏହା ଆଲୋଡନ ସୃଷ୍ଟି କରିଛି ।
କୋଟିଆରେ ଆନ୍ଧ୍ରପ୍ରେଶର ନିର୍ବାଚନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ଆବେଦନ ଦାଖଲ କରିଛନ୍ତି ରାଜ୍ୟ ସରକାର । ଏହି ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିବା ସହ ଶୁକ୍ରବାର ଶୁଣାଣି କରିବେ । କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ବୁଧବାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଅଦାଲତ ଅବମାନନା ନେଇ ରାଜ୍ୟ ସରକାର ମାମଲା ରୁଜୁ କରିଥିଲେ । ୧୯୬୮ରେ ସ୍ଥିତାବସ୍ଥା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ୨୦୦୬ରେ ପୁଣି ଥରେ ସ୍ଥିତାବସ୍ଥା ପାଇଁ ବି ନିର୍ଦ୍ଦେଶ ଦେଇଥିଲେ କୋର୍ଟ । କିନ୍ତୁ ଆନ୍ଧ୍ର ସରକାର ଏହାକୁ ପାଳନ କରି ନଥିବାରୁ ପୁଣି ଆବେଦନ ଦାଖଲ କରାଯାଇଥିଲା ।