ଡେରାଡୁନ:ଉତ୍ତରାଖଣ୍ଡରେ କଂଗ୍ରେସକୁ ଲାଗିପାରେ ଶକ୍ତ ଝକଟା । ପ୍ରଥମେ ସିଦ୍ଧୁ ଏବଂ କ୍ୟାପ୍ଟେନଙ୍କ ପରେ ଏବେ ହାତ ଛାଡି ପାରନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ । ମାସ କେଇଟା ପରେ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ । ନିର୍ବାଚନୀ ନଦୀ ପାର୍ ହେବାକୁ କଂଗ୍ରେସ ଯୋଜନା କରୁଥିବାବେଳେ ରାଜନୀତିରୁ ସନ୍ୟାସ ନେବାର ସଙ୍କେତ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ । ରାୱତଙ୍କ ଟ୍ବିଟ୍ ଏବଂ ଫେସବୁକ୍ ପୋଷ୍ଟରୁ ତାଙ୍କର ଦଳ ପ୍ରତି ଅସନ୍ତୋଷ ଏବଂ ରାଜନୀତି ଛାଡିବାର ଆଭାସ ମିଳିଛି ।
କଂଗ୍ରେସର ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ରାୱତ କହିଛନ୍ତି, ନିର୍ବାଚନ ରୂପକ ସମୁଦ୍ରରେ ଦଳ ଅନେକ ମଗରମାଛକୁ ଛାଡିଛି । ଯେଉଁମାନଙ୍କ ନିର୍ଦ୍ଦେଶରେ ମୋତେ ପହଁରିବାକୁ ପଡିବ, ସେମାନଙ୍କ ପ୍ରତିନିଧିମାନେ ହିଁ ମୋ ହାତଗୋଡ ବାନ୍ଧୁଛନ୍ତି । ତେଣୁ ବର୍ତ୍ତମାନ ବିଶ୍ରାମ ନେବାର ସମୟ ବୋଲି କହିଛନ୍ତି ରାୱତ । ରାୱତଙ୍କ ଏହି ଟ୍ବିଟରୁ ସେ ଖୁବଶୀଘ୍ର ଦଳ ଛାଡିବାକୁ ଯାଉଥିବା ସଙ୍କେତ ମିଳିଛି ।