ନୂଆଦିଲ୍ଲୀ:ହାଇଦ୍ରାବାଦରେ ଆଜିଠୁ କଂଗ୍ରେସର କେନ୍ଦ୍ରୀୟ କାର୍ଯ୍ୟକାରିଣୀ(CWC) ବୈଠକ ଆରମ୍ଭ ହେବ । ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଥିବାରୁ କଂଗ୍ରେସର ଏହି ଦୁଇ ଦିନିଆ ବୈଠକ ବେଶ୍ ଗୁରୁତ୍ବପୂର୍ଣ୍ଣ ରହିଛି । ଏଥିରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ଉପରେ ବିସ୍ତୃତ ଚର୍ଚ୍ଚା କରାଯିବ । କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କଂଗ୍ରେସ ଦଳର ସମସ୍ତ ବରିଷ୍ଠ ନେତାମାନେ ସାମିଲ ହେବା ନେଇ ସୂଚନା ରହିଛି ।
କଂଗ୍ରେସର ନୂଆ କାର୍ଯ୍ୟକାରିଣୀ କମିଟି(CWC) ଗଠନ ପରେ ଏହା ପ୍ରଥମ ବୈଠକ । ଏନେଇ ଦିଲ୍ଲୀରେ କଂଗ୍ରେସ ମୁଖ୍ୟ ଖଡ୍ଗେ ଗଣମାଧ୍ୟମକୁ କହିଛନ୍ତି ଯେ, ଦଳର ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ସମ୍ଭାଳିବା ପରେ ସିଡବ୍ଲୁସିର ପ୍ରଥମ ବୈଠକ ବସିବାକୁ ଯାଉଛି । ଏଥିରେ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମ୍ପର୍କରେ ଆଲୋଚନା କରାଯାଇ ରଣନୀତି ପ୍ରସ୍ତୁତ କରାଯିବ । CWC ବୈଠକ ପାଇଁ ଖଡ୍ଗେ ଆଜି ସକାଳୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିଛନ୍ତି । କଂଗ୍ରେସ ନେତା କେସି ବେଣୁଗୋପାଳ କହିଛନ୍ତି, ଆମେ ବୈଠକ ପାଇଁ ୧୫୯ ଜଣଙ୍କୁ ନିମନ୍ତ୍ରିତ କରଥିବା ବେଳେ ଆସନ୍ତାକାଲି(ରବିବାର) ୧୪୭ ଜଣ ନେତା ଏଥିରେ ସାମିଲ ହେବେ । ରବିବାର ସନ୍ଧ୍ୟାରେ ତେଲେଙ୍ଗାନା ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯିବ । ଏହି ଅବସରରେ କଂଗ୍ରେସ ହାଇଦ୍ରାବାଦ ନିକଟରେ ଏକ ବିଶାଳ ରାଲିର ଆୟୋଜିନ କରିବ ଏବଂ ଏଥିରେ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଦଳ ୬ଟି ଗ୍ୟାରେଣ୍ଟି ଘୋଷଣା କରିବ ।