ଥିରୁଅନନ୍ତପୁରମ: ଘର ସଜାଡ଼ିବା ପାଇଁ କଂଗ୍ରେସ ଆରମ୍ଭ କରିଛି ଭାରତ ଯୋଡ଼ ଅଭିଯାନ । ହେଲେ ଏହି ଅଭିଯାନ ପାଇଁ ସାଧାରଣ ଲୋକଙ୍କଠାରୁ ଜୋରଜବରଦସ୍ତ ଟଙ୍କା ଆଦାୟ କରାଯାଉଛି । ଖାଲି ସେତିକି ନୁହେଁ ଟଙ୍କା ନଦେବାରୁ ଲୋକଙ୍କ ଦୋକାନ ଭାଙ୍ଗି ଦିଆଯାଉଛି । କେରଳରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ୩ ଜଣ କଂଗ୍ରେସ କର୍ମୀଙ୍କୁ ନିଲମ୍ବିତ କରିଛନ୍ତି କେରଳ ପ୍ରଦେଶ କଂଗ୍ରେସ ସଭାପତି କେ ସୁଧାକରନ ।
କେରଳରେ କଂଗ୍ରେସର ଭାରତଯୋଡ଼ ଅଭିଯାନ ଜାରି ରହିଛି । ତେବେ ଏହି ଅଭିଯାନ ପାଇଁ କେରଳର କୋଲ୍ଲାମ ଜିଲ୍ଲାରେ ଜଣେ ପରିବା ଦୋକାନୀଙ୍କୁ ତିନିଜଣ କଂଗ୍ରେସ କର୍ମୀ ଚାନ୍ଦା ମାଗିଥିଲେ । ପରିବା ଦୋକାନୀଙ୍କୁ ଦୁଇ ହଜାର ଟଙ୍କା ଚାନ୍ଦା ଦେବାକୁ ବାଧ୍ୟ କରାଯାଇଥିଲା । ତେବେ ଏଥିରେ ରାଜି ନହେବାରୁ ପରିବା ଦୋକାନୀଙ୍କ ଦୋକାନ ଭାଙ୍ଗିବା ସହ ତାଙ୍କ ପରିବା ଫୋପାଡ଼ି ଦେଇଥିଲେ କଂଗ୍ରେସ କର୍ମୀ ।
ଏହା ବି ପଢ଼ନ୍ତୁBharat Jodo Yatra: ଓଡିଶା ଆସିବେ ନାହିଁ ରାହୁଲ, କାରଣ କହିଲେ ପିସିସି ସଭାପତି
ଏହି ସମସ୍ତ ଘଟଣାର ଭିଡିଓ ରେକର୍ଡିଂ ରହିଥିବା ବେଳେ ଏହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନିଶ ଖାନ୍ଙ୍କ ନେତୃତ୍ବରେ କଂଗ୍ରେସ କର୍ମୀ ଏହି ତୁମୁଳ କାଣ୍ଡ ଘଟାଇଛନ୍ତି । ପରିବା ଦୋକାନୀ ଜଣକ ଚାନ୍ଦା ବାବଦରେ ପ୍ରଥମେ ୫୦୦ ଟଙ୍କା ଦେବାକୁ ରାଜି ହୋଇଥିଲେ । ତେବେ କଂଗ୍ରେସ କର୍ମୀ ୨ ହଜାର ଟଙ୍କା ନେବାକୁ ଅଡ଼ି ବସିଥିଲେ । ବର୍ତ୍ତମାନ ଓମାନ ଚାଲିଥିବାରୁ ଏତେ ଟଙ୍କା ଦେଇ ପାରିବେ ନାହିଁ ବୋଲି କହିଥିଲେ ପରିବା ଦୋକାନୀ ।
ଏଥିରେ କ୍ରୋଧାନ୍ବିତ ହୋଇ କଂଗ୍ରେସ କର୍ମୀ ପରିବା ଦୋକାନୀଙ୍କ ଦୋକାନ ଭାଙ୍ଗିଛନ୍ତି । ଏହାକୁ ନନେଇ କେରଳ ପ୍ରଦେଶ କଂଗ୍ରେସ କମିଟି ସଭାପତି କେ ସୁଧାକରନ କହିଛନ୍ତି, "ସେମାନେ ଆମ ଦଳର ଆଦର୍ଶକୁ ପ୍ରତିଫଳନ କରୁନାହାଁନ୍ତି । ଏଭଳି ବ୍ୟବହାର ଗ୍ରହଣୀୟ ନୁହେଁ । ତତ୍କାଳୀନ ସେମାନଙ୍କୁ ଦଳରୁ ନିଲମ୍ବିତ କରାଯାଉଛି । ଲୋକେ ଆମକୁ ଛୋଟ ଆକାରେ ଚାନ୍ଦା ପ୍ରଦାନ କରୁଛନ୍ତି । ଅନ୍ୟ ଦଳ ଭଳି ଆମେ କୌଣସି କର୍ପୋରେଟ ଚାନ୍ଦା ନେଉନୁ ।"