ନୂଆଦିଲ୍ଲୀ:କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ସାରା ଦେଶରେ ଲୋକଙ୍କୁ ଅବଗତ କରିବେ ପ୍ରଶାସନିକ ଅଧିକାରୀ । ଏହି ଉଦ୍ଦେଶ୍ୟ ସହ କେନ୍ଦ୍ର ସରକାର ଆସନ୍ତାମାସରୁ ଆରମ୍ଭ କରିବାକୁ ଯାଉଛନ୍ତି ‘ବିକଶିତ ଭାରତ ସଙ୍କଳ୍ପ ଯାତ୍ରା’ । ଏବେ ଏହାକୁ ନେଇ ବିବାଦ ଓ ରାଜନୀତି ଆରମ୍ଭ ହୋଇଛି । ପୁରା ସରକାରୀ କଳ, ସମସ୍ତ ସରକାରୀ ସଂସ୍ଥା, ପ୍ରତିଷ୍ଠାନ ଓ ଅଧିକାରୀମାନେ ଏବେ ଭାରତୀୟ ଜନତା ପାର୍ଟିର ପ୍ରଚାରକ ଭାବେ ବ୍ୟବହୃତ ହେଉଛନ୍ତି ବୋଲି କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଅଭିଯୋଗ କରିଛନ୍ତି ।
ପ୍ରଶାସନିକ ଅଧିକାରୀମାନେ ତୃଣମୂଳ ସ୍ତରରେ କାର୍ଯ୍ୟ କରିବେ ବୋଲି ବିଜେପି ସରକାର କହୁଛି, ମାତ୍ର ସେମାନଙ୍କୁ ଦଳୀୟ ପ୍ରଚାର ପାଇଁ ପ୍ରୋପାଗଣ୍ଡାଭିତ୍ତିକ ଭାବେ ବ୍ୟବହାର କରାଯାଉଛି । ଏବେ ପୁରା ସରକାରୀ ବ୍ୟବସ୍ଥା କେବଳ ଏକ ପ୍ରୋପାଗଣ୍ଡା ଆଧାରରେ ଶାସକ ବିଜେପି ପାଇଁ ନିର୍ବାଚନ ପ୍ରଚାର କରିବାକୁ ଲାଗିଲେଣି ବୋଲି ଖଡଗେ କହିଛନ୍ତି ।
ଖଡେଗେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଛନ୍ତି । ଏକ ଟ୍ବିଟରେ କହିଛନ୍ତି, ‘‘ସରକାରୀ ବିଭାଗ, ବ୍ୟବସ୍ଥା ଓ ପ୍ରତିଷ୍ଠାନ ଏବେ ଅଫିସିଆଲି ପାର୍ଟି ପ୍ରଚାରକ । ଦେଶର ସମ୍ବିଧାନକୁ ବଞ୍ଚାଇବା ଦୃଷ୍ଟିରୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯିବା ନେଇ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି । କେନ୍ଦ୍ର ସରକାର ଗ୍ରହଣ କରିଥିବା ନିଷ୍ପତ୍ତି ଅମଲାତନ୍ତ୍ର ଓ ସଶସ୍ତ୍ର ବଳକୁ ରାଜନୀତିକରଣ କରିବାକୁ ଯାଉଛି । ଯାହାକୁ ତୁରନ୍ତ ପ୍ରତ୍ୟାହାର କରାଯିବାର ଆବଶ୍ୟକତା ରହିଛି ।’’ ଏହି କ୍ୟାପସନ ସହ ଖଡଗେ ପ୍ରଧାନମନ୍ତ୍ରଙ୍କୁ ଲେଖିଥିବା ଚିଠି ମଧ୍ୟ ଟ୍ବିଟ କରିଛନ୍ତି ।
ଖଡଗେଙ୍କ ଟ୍ବିଟରେ ସରକାରୀ ଦଳ ପକ୍ଷରୁ ଦଳମୁଖ୍ୟ ଜେ.ପି ନଡ୍ଡାଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଟ୍ବିଟରେ ନଡ୍ଡା କହିଛନ୍ତି, ପ୍ରଶାସନିକ ଅଧିକାରୀ ତୃଣମୂଳ ସ୍ତରକୁ ଯାଇ ଲୋକଙ୍କ ନିକଟବର୍ତ୍ତୀ ହେବେ । ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବେ । ତେବେ ଏହା କଣ ଶାସନର ସିଦ୍ଧାନ୍ତ ନୁହେଁ କି ? ଏହାକୁ ବିରୋଧ କରାଯିବା ଆଶ୍ଚର୍ଯ୍ୟର ବିଷୟ ।